ଏଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର : ପଡ଼ିଥିଲେ ଭିଜିଲାନ୍ସ ଜାଲରେ

ଅତିରିକ୍ତ ଏସ୍.ପି. ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ନିକଟରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଏବଂ ପରେ ଗିରଫ ହୋଇ ଜେଲ ଯାଇଛନ୍ତି I ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ ଗତ ୧୫ ତାରିଖ ରେ ତ୍ରିନାଥ ମିଶ୍ରଙ୍କ କଟକ ତୁଳସୀପୁର ଅଫିସ୍ ଓ ସରକାରୀ ବାସଭବନ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଦୀର୍ଘ ୨୨ ଘଣ୍ଟା ର ଚଢ଼ାଉ ବେଳେ ତ୍ରିନାଥଙ୍କର ମୋଟ ୧୧ କୋଟି ୨ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଥିଲା। ସେଥିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ ସମ୍ପତ୍ତି ଥିଲା I ଏହି ସମ୍ପତ୍ତି ର ହିସାବ ଦେଇ ନ ପାରିବାରୁ ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ପରବର୍ତ୍ତୀ ଅବସ୍ଥାରେ ଗିରଫ କରାଯାଇଥିଲା ।
ଖାଲି ସେତିକି ନୁହେଁ ତାଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କାର ଏକ ବିଏମଡବ୍ଲ୍ୟୁ କାର୍ ଜବତ କରାଯାଇଥିଲା। ଏହା ସହିତ ୧୭ ଲକ୍ଷର ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍, ସେଭ୍ରୋଲେ ଟ୍ରେଲବ୍ଲେଜର କାର୍ ଏବଂ ୫.୩ ଲକ୍ଷର ଜିଟିଆର ୨୫୦ ହୋସୁଙ୍ଗ ବାଇକ, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ୍ ଜବତ କରାଯାଇଥିଲା। ଏହାସହ ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି।