ହୋଲିରେ ରସାୟନିକ ରଙ୍ଗ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ, ଗାଇଡ ଲାଇନ୍ ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର : ହୋଲି ଓ ଦୋଳକୁ ଶାନ୍ତି ଶୃଙ୍ଖଳା ସହ ପାଳନ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି । ହୋଲିରେ ମଦ୍ୟପାନ କରି ବୁଲିଲେ ନିସ୍ତାର ନାହିଁ । ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ କଡା ନଜର ରହିବ କମିଶନରେଟ ପୋଲିସ । ସେହିପରି ବେଆଇନ ମଦ ବିକ୍ରି ଉପରେ ମଧ୍ୟ ପୋଲିସ ନଜର ରଖିବ । ହୋଲି ଦିନ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି । ସବୁ ଜଳାଶୟ ଓ ନଦୀ ନିକଟରେ ପୋଲିସ ଏବଂ ଓଡ୍ରାଫ ଟିମ୍ ରହିବେ। ମଦ୍ୟପାନ କରି ପାଣିକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଡିସିପି ଜଗମୋହନ ମୀନା। ସେହିପରି ହୋଲି ପାଇଁ ଚଳଚଞ୍ଚଳ ରାଜଧାନୀର ରଙ୍ଗ ବଜାର । ବିଭିନ ପ୍ରକାର ରଙ୍ଗ ବିକ୍ରି ପାଇଁ ବଜାରରେ ଉପଲବ୍ଧ ହେଉଛି । ହେଲେ ରଙ୍ଗ ସମ୍ପର୍କରେ ଅବଗତ ନଥାଇ ରଙ୍ଗ କିଣୁଛନ୍ତି ଲୋକେ । ଫଳରେ ରସାୟନିକ ରଙ୍ଗ ଯୋଗୁଁ ଚର୍ମରୋଗ ଭଳି ସମସ୍ୟାର ଆଶଙ୍କା ରହୁଛି । ବଜାରରେ ଏଭଳି ରସାୟନିକ ରଙ୍ଗ ବିକ୍ରି ନେଇ କଟକଣା ଲଗାଇଛି ରାଜ୍ୟ ପୋଲିସ । ବେଆଇନ ରଙ୍ଗ ବା ରସାୟନିକ ରଙ୍ଗ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି ପୋଲିସ । ଅନ୍ୟପଟେ ହୋଲି ପର୍ବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ରେଞ୍ଜ ଡିଆଇଜି, ଏସପି ମାନଙ୍କୁ ମଧ୍ୟ ଗାଇଡ ଲାଇନ୍ ଜାରି କରାଯାଇଛି । ଏହା ସହିତ ସବୁ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଷ୍ଟ୍ରଇକିଂ ଫୋର୍ସ ମୁତୟନ ହେବେ । ଏଥିପାଇଁ ରିଜର୍ଭ ପୋଲିସ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।