ହୋଟେଲ, ରେଷ୍ଟୁରାଣ୍ଟକୁ କମର୍ସିଆଲ ଗ୍ୟାସ୍ ଯୋଗାଣ ବନ୍ଦ

ଭୁବନେଶ୍ବର: ଦେଶରେ ଏଲପିଜି ସିଲିଣ୍ଡର ସଙ୍କଟ । ଇରାନ ଯୁଦ୍ଧ ଯୋଗୁଁ ଯୋଗାଣ ଗୁରୁତର ଭାବେ ପ୍ରଭାବିତ । ଓଡ଼ିଶା କଥା ଦେଖିବାକୁ ଗଲେ କମର୍ସିଆଲ ସିଲିଣ୍ଡର ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଫଳରେ ସଙ୍କଟରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ । ବଜାରରେ ଏଜେନ୍ସି ଗୁଡ଼ିକ ଆଗରେ ଗ୍ରାହକମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ କଳା ବଜାରି ରୋକିବା ପାଇଁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଗୋଟିଏ ସିଲିଣ୍ଡର ବୁକିଂ କରିବାର 21 ଦିନ ପରେ ଆଉ ଗୋଟିଏ ବୁକିଂ ହୋଇପାରୁ ଥିଲା, ହେଲେ ଏବେ ଏହାକୁ 25 ଦିନକୁ ବଢ଼ାଇ ଦେଇଛନ୍ତି ସରକାର । କମର୍ସିଆଲ ସିଲିଣ୍ଡର ଯୋଗାଣ ବନ୍ଦ ପରେ ବଡ଼ ବଡ଼ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରବାହ ପଡ଼ିବ । ତେଣୁ ଏନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡ଼ିଶା- HARO । ଗ୍ୟାସ୍ ଅଭାବ ଯୋଗୁଁ ବେଙ୍ଗାଲୁରୁରେ ହୋଟେଲ ଗୁଡ଼ିକ ବନ୍ଦ ରହିଛି । ଓଡ଼ିଶାରେ ସେ ପରିସ୍ଥିତି ନ ହେବା ପାଇଁ ସରକାର ଆଲୋଚନା କରନ୍ତୁ ବୋଲି ହାରୋ ଦାବି କରିଛି ।

Commercial gas supply to hotels