ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ସାଇବର ଅପରାଧୀମାନେ ବେଶ ସକ୍ରିୟ ହୋଇପଡିଛନ୍ତି। ଭାରତରେ ସମସ୍ୟା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସାଇବର ଆକ୍ରମଣର ସଦ୍ୟତମ ଉଦାହରଣ ଧରାପଡିଛି। ସାମାଜିକ ଗଣମାଧ୍ୟମ X ରେ ଏକ ପୋଷ୍ଟ ଦାବି କରିଛି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସମର୍ଥକମାନେ କର୍ଣ୍ଣାଟକର ବେଲାଗାଭିରେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ପାରିବାରିକ ଘରେ ଭଙ୍ଗାରୁଜା କରିଛନ୍ତି। ଯାହା ସଂପୂର୍ଣ୍ଣ ମିଛ ଥିଲା। ପୋଲିସର ଚେତାବନୀ ପରେ, ପୋଷ୍ଟଟି ଡିଲିଟ୍ କରିଦିଆଯାଇଛି। ପୋଷ୍ଟ କରିଥିବା X ପ୍ରୋଫାଇଲର ନାମ ହେଉଛି “ଅନିସ ଉଦ୍ଦିନ” ଏବଂ ସ୍ଥାନ କାନାଡା ବୋଲି ଉଲ୍ଲେଖ କରାଯାଇଛି। ପ୍ରୋଫାଇଲଟି 405 ହ୍ୟାଣ୍ଡେଲ ଏବଂ 31 ଫଲୋଅର ଅଛନ୍ତି। ଅଧିକାଂଶ ପୋଷ୍ଟ ପାକିସ୍ତାନକୁ ସମର୍ଥନ କରି ପୋଷ୍ଟିଂ କରାଯାଇଛି। କଭର ଇମେଜରେ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର-ଜେନେରାଲ ମହମ୍ମଦ ଅଲି ଜିନ୍ନା, ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ଅନ୍ୟାନ୍ୟ ଉଚ୍ଚ ପାକିସ୍ତାନୀ ପ୍ରତିରକ୍ଷା ଅଧିକାରୀଙ୍କ ଫଟୋ ରହିଛି। ଏହି ପୋଷ୍ଟରେ କୁହାଯାଇଥିଲା ଯେ, କର୍ଣ୍ଣାଟକର ବେଲାଗାଭିରେ ସୋଫିଆଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜିନିଷପତ୍ର ଫିଙ୍ଗାଯାଇଥିବା ଏକ ଭଙ୍ଗା କୋଠରୀର ଫଟୋ ଯୋଡାଯାଇଛି। ପୋଲିସ ପୋଷ୍ଟଟି ଦେଖିବା ମାତ୍ରେ, ଏକ ଦଳ ବେଲାଗାଭିର ଗୋକାକରେ କର୍ଣ୍ଣେଲ କୁରେଶୀଙ୍କ ପରିବାର ଘର ନିକଟକୁ ଯାଇଥିଲେ। ହେଲେ ସେଠାରେ ସବୁକିଛି ସ୍ୱାଭାବିକ ଥିବା ଜଣାପଡ଼ିଥିଲା।