ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ଆଉ ୪ ଜଣ ନୂଆ ବିଚାରପତି । ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଛି । ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ୍ ହୋଇଥିବା ୪ ଜଣ ହେଉଛନ୍ତି- ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାଶ, ଗୌତମ ମିଶ୍ର ଏବଂ ରଜିତ୍ ରାୟ । ଏହି ଚାରିଜଣ ଦୀର୍ଘଦିନ ଧରି ଆଇନଜୀବୀ ଭାବେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କର ଆଇନ କ୍ଷେତ୍ରର ଅଭିଜ୍ଞତାକୁ ବିଚାରକୁ ନେଇ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ କରିଥିବା ଜଣାପଡ଼ିଛି । କଲେଜିୟମର ସୁପାରିସ୍ ପରେ ଏବେ ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ। ଚୂଡ଼ାନ୍ତ ନିଯୁକ୍ତି ପରେ ଏହି ୪ ଜଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ୁଥିବା ସମୟରେ ନୂଆ ବିଚାରପତିଙ୍କ ନିଯୁକ୍ତି ନ୍ୟାୟିକ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।