କୋଏମ୍ବାଟୁର୍ ବିସ୍ଫୋରଣ: ୫ ଅଭିଯୁକ୍ତ ଗିରଫ

କୋଏମ୍ବାଟୁର୍‌: ତାମିଲନାଡ଼ୁ କୋଏମ୍ବାଟୁର ବିସ୍ଫୋରଣ ମାମଲାରେ ପୁଲିସ ୟୁଏପିଏ ଅଧୀନରେ ୫ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, କୋଏମ୍ବାଟୁର୍‌ରେ ରବିବାର ସକାଳେ କାର୍‌ରେ ଲାଗିଥିବା ସିଲିଣ୍ଡରରେ ବିସ୍ଫୋରଣ ଘଟି ଜେମିଶା ମୁବିନ୍ (୨୫) ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଗିରଫ ୫ ଅଭିଯୁକ୍ତ ହେଲେ ମହମ୍ମଦ ତଲକା, ମହମ୍ମଦ ଆଝରୁଦ୍ଦିନ୍‌, ମହମ୍ମଦ ରିୟାଜ୍‌, ଫିରୋଜ୍ ଇସ୍‌ମାଇଲ୍ ଏବଂ ମହମ୍ମଦ ନୱାଜ୍ ଇସ୍‌ମାଇଲ୍ । ସମସ୍ତଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ । ପୁଲିସ ଏହି ମାମଲାରେ ୭ ଜଣଙ୍କୁ ପଚରା ଉଚରା କରୁଛି । ବିସ୍ଫୋରଣ ସ୍ଥାନରୁ ପୁଲିସ ମୋବାଇଲ୍ ସିଗ୍‌ନାଲ୍ ଆଧାରରେ ନୀଳଗିରି ଜିଲ୍ଲାର କୁନ୍ନୁର୍‌ର ଜଣେ ଅଟୋଚାଳକକୁ ମଧ୍ୟ ପଚରା ଉଚରା ପାଇଁ ଆଣିଛି । କୁନ୍ନୁର୍ ଓଟ୍ଟୁପଟୁରାଇର ଏହି ବ୍ୟକ୍ତି ଗତ ଚାରିମାସ ଧରି ଏଠାରେ ରହୁଥିଲା । ପ୍ରଥମେ କାର୍‌ରେ ଥିବା ଗ୍ୟାସ୍ ସିଲିଣ୍ଡର କାରଣରୁ ବିସ୍ଫୋରଣ ଘଟିଥିବା ପୁଲିସ କହିଥିଲା । ଏହା ସହିତ କାର୍‌ରେ କେତେକ କଣ୍ଟା, ପଥର ଏବଂ ଅନ୍ୟ ସାମଗ୍ରୀ ମିଳିଥିଲା । ଏଆଇଏମ୍‌କେ ଅନ୍ତରୀଣ ସମ୍ପାଦକ ଏବଂ ତାମିଲନାଡ଼ୁ ବିରୋଧୀ ଦଳ ନେତା କେ ପଲାନିସ୍ୱାମୀ ଏହାକୁ ପୁଲିସ ଏବଂ ଗୁଇନ୍ଦା ବିଭାଗର ଅପାରଗତା କହିବା ସହ ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଡିଏମ୍‌କେ ଶାସନକୁ ଆସିବା ପରେ ରାଜ୍ୟରେ ନିୟମିତ ବିସ୍ଫୋରଣ ଘଟଣା ଘଟିଚାଲିଛି । ଅନ୍ୟପକ୍ଷରେ ବିଜେପି ଏହାର ଏନ୍‌ଆଇଏ ତଦନ୍ତ ପାଇଁ ଦାବି କରିଛି । ପାର୍ଟି ରାଜ୍ୟ ସଭାପତି କେ ଆନ୍ନାମଲ୍ଲାଇ ଏହାକୁ ଆତ୍ମଘାତୀ ଆକ୍ରମଣ କହିବା ସହ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠିଲେଖି ଏହାର ଏନ୍‌ଆଇଏ ତଦନ୍ତ ପାଇଁ କହିଛନ୍ତି ।