ନାଗରିକ ସେବା ପ୍ରଦାନରେ ୯୪% ସଫଳତା ହାସଲ କରିଛି ରାଜ୍ୟର ପୌରାଞ୍ଚଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ସେବା ଅଧିକାର ଆଇନ’ (ଓଆରଟିପିଏସ) ପ୍ରଦତ୍ତ ୩୦ଟି ବିଜ୍ଞାପିତ ନାଗରିକ ସେବା (ସିଟିଜେନ୍‌ ସର୍ଭିସ୍‌)ର କାର୍ଯ୍ୟାନ୍ବୟନ ସଫଳତା ହାର ୯୪% ପ୍ରତିଶତ ରହିଛି, ଅର୍ଥାତ୍‌ ନାଗରିକଙ୍କ ଆବେଦନକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଇନଗତ ଭାବେ ସମାଧାନ କରାଯାଇଛି। ସୋମବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମିଳିଥିବା ସୂଚନାନୁସାରେ, ୧ ଏପ୍ରିଲ୍ ୨୦୨୪ ରୁ ୨୭ ଏପ୍ରିଲ୍ ୨୦୨୬ ମଧ୍ୟରେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସମୁଦାୟ ୬,୫୯,୧୦୨ଟି ଆବେଦନ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ୬,୦୭,୯୬୦ଟି ଆବେଦନ ନିର୍ଦ୍ଧାରିତ ‘ସର୍ଭିସ୍ ଲେଭଲ୍ ଏଗ୍ରିମେଣ୍ଟ’ (ଏସଏଲଆ) ସମୟସୀମା ମଧ୍ୟରେ ସମାଧାନ କରାଯାଇଥିବାବେଳେ ୧୦,୯୧୬ଟି ଆବେଦନ ବର୍ତ୍ତମାନ ପ୍ରକ୍ରିୟାଧୀନ ଥିଲେ ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରହିଛି। ସେବାଭିତ୍ତିକ କାର୍ଯ୍ୟଦକ୍ଷତା ମଧ୍ୟରେ ବ୍ୟବସାୟିକ ଲାଇସେନ୍ସ ସେବାରେ ୫୭,୭୧୫ଟି ଆବେଦନର ଶତପ୍ରତିଶତ ସମୟାନୁବର୍ତ୍ତୀ ସମାଧାନ ହୋଇଛି। ସ୍ୱେରେଜ୍ ସଂଯୋଗ ସେବାରେ ୯୮% ଏବଂ ଜଳ ଓ ସ୍ୱେରେଜ୍ ସଂଯୋଗ ସେବାରେ ୯୬% ସମୟସୀମା ଅନୁପାଳନ ହୋଇଛି। ଜଳ ଓ ସ୍ୱେରେଜ୍ ସଂଯୋଗ ସେବାରେ ସର୍ବାଧିକ ୫,୦୨,୫୫୫ଟି ଆବେଦନ ଗ୍ରହଣ କରାଯାଇଥିଲା। ସମ୍ପତ୍ତି କର ନୂତନ ଆକଳନ ସେବାରେ ୯୬% ଏବଂ ସମ୍ପତ୍ତି କର ମାଲିକାନା ବଦଳ ସେବାରେ ୭୬% ସମୟାନୁବର୍ତ୍ତୀ ସମାଧାନ ହୋଇଛି। ବିବାହ ପ୍ରମାଣପତ୍ର ସେବାରେ ୫୩% ଆବେଦନ ସମୟସୀମା ମଧ୍ୟରେ ସମାଧାନ ହୋଇଥିବାବେଳେ ୪୬% ଆବେଦନ ନିର୍ଦ୍ଧାରିତ ସମୟ ପରେ ସମାଧାନ ହୋଇଥିବା ଜଣାପଡ଼ିଛି। ଅନଲାଇନ୍ କୋଠାବାଡି ପ୍ଲାନ ମଞ୍ଜୁରୀ ବ୍ୟବସ୍ଥା ଓ ସହରୀ ଉନ୍ନୟନ ସମ୍ବନ୍ଧୀୟ ବିଭିନ୍ନ ଅନୁମତି ପ୍ରଦାନ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ବ୍ୟବସ୍ଥା ଜଟିଳ ବୈଷୟିକ ଯାଞ୍ଚ ପ୍ରକ୍ରିୟାକୁ ସହଜ କରିଥିଲେ ମଧ୍ୟ କେତେକ କ୍ଷେତ୍ରରେ ଅଧିକ ଗତି ଆଣିବାର ଆବଶ୍ୟକତା ଅନୁଭୂତ ହୋଇଛି। ୧୫,୯୮୪ଟି ଆବେଦନ ମଧ୍ୟରୁ ୪୧% ସମୟସୀମା ମଧ୍ୟରେ ମଞ୍ଜୁର ହୋଇଥିବାବେଳେ ଅନ୍ୟାନ୍ୟ ବର୍ଗର ୩,୫୭୧ଟି ବିଲ୍ଡିଂ ପ୍ଲାନ ଆବେଦନ ମଧ୍ୟରୁ ୩୧% ନିର୍ଦ୍ଧାରିତ ସମୟରେ ମଞ୍ଜୁର ହୋଇଛି। ପରିବର୍ତ୍ତନ ଓ ସଂଶୋଧନ ଅନୁମତିରେ ସ୍ୱଳ୍ପ ବିପଦପୂର୍ଣ୍ଣ ବର୍ଗରେ ୪୦% ଏବଂ ଅନ୍ୟାନ୍ୟ ବର୍ଗରେ ୩୭% ସମୟସୀମା ଅନୁପାଳନ ହୋଇଥିବାବେଳେ, ଦଖଲ ପ୍ରମାଣପତ୍ର ମଞ୍ଜୁରୀର ସମୟାନୁବର୍ତ୍ତୀ ହାର ୨୩% ରହିଛି। ବର୍ତ୍ତମାନ ସୁଦ୍ଧା ୨୩,୭୪୦ଟି ଆବେଦନ ସମୟସୀମା ପରେ ସମାଧାନ ହୋଇଥିବାବେଳେ ୧୬,୭୦୫ଟି ଆବେଦନ ନିର୍ଦ୍ଧାରିତ ସମୟ ଅତିକ୍ରମ କରିଥିଲେ ମଧ୍ୟ ପେଣ୍ଡିଂ ରହିଛି। ଏଥିରେ ଜଳ ଓ ସ୍ୱେରେଜ୍ ସଂଯୋଗର ୯,୦୮୨ଟି ଆବେଦନ, ସ୍ୱଳ୍ପ ବିପଦପୂର୍ଣ୍ଣ ବିଲ୍ଡିଂ ପ୍ଲାନର ୨,୭୮୬ଟି ଏବଂ ଅନ୍ୟାନ୍ୟ ବର୍ଗର ବିଲ୍ଡିଂ ପ୍ଲାନର ୧,୨୬୧ଟି ଆବେଦନ ସାମିଲ ଅଛି। ସୂଚନାନୁସାରେ, ବର୍ତ୍ତମାନ ୩୦ଟି ସେବା ମଧ୍ୟରୁ ୨୧ଟି ସେବା ସୁଯୋଗ, ସ୍ବଚ୍ଛତା ଏବଂ ସ୍ୱତନ୍ତ୍ର ଅଭିଯୋଗ ପରିଚାଳନା ପୋର୍ଟାଲ୍ ମାଧ୍ୟମରେ ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ଅନଲାଇନ୍‌ରେ ଉପଲବ୍ଧ ହେଉଛି। ଆଉ ୭ଟି ସେବା ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ଅନଲାଇନ୍‌ରେ ଉପଲବ୍ଧ ଅଛି। କେବଳ ୨ଟି ସେବା ବର୍ତ୍ତମାନ ପ୍ରତ୍ୟକ୍ଷ ଭାବେ (ଅଫଲାଇନ୍ ମୋଡ୍‌)ରେ ଚାଲୁ ରହିଛି। ସମୀକ୍ଷା ବୈଠକରେ ମନ୍ତ୍ରୀ ଡ. ମହାପାତ୍ର ସେବା ପ୍ରଦାନରେ ଅଯଥା ବିଳମ୍ବ ପ୍ରତି “ଜିରୋ ଟଲରେନ୍ସ” ନୀତି ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଥିଲେ, “ଆମର ଲକ୍ଷ୍ୟ କେବଳ ଆବେଦନର ଶୀଘ୍ର ସମାଧାନ ନୁହେଁ, ବରଂ ଓଡ଼ିଶାର ସହରାଞ୍ଚଳ ଶାସନ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ପ୍ରଯୁକ୍ତିନିର୍ଭର କରି ଗଢ଼ିତୋଳିବା।”