ଭୁବନେଶ୍ୱର: ଅନୁଗୋଳ ଜିଲ୍ଲାର ହଣ୍ଡପା ରେଳବାଇ ସାଇଡିଂ ନିକଟରେ ବେଆଇନ କୋଇଲା ଡମ୍ପିଙ୍ଗୟାର୍ଡକୁ ନେଇ କିଛି ଦିନ ହେଲା ଉତ୍ତେଜନା ଲାଗି ରହିଛି । ସରକାରଙ୍କ ଦ୍ବାରା ସିଲ୍ ହୋଇଥିବା ଏକ ସ୍ଥାନରେ ପୁଣି ବେଆଇନ୍ କୋଇଲା ଡମ୍ପିଙ୍ଗୟାର୍ଡ କରିବା ଯୋଗୁଁ ବାୟୁ ପ୍ରଦୂଷଣ ଓ ରାସ୍ତାଘାଟ ଖରାପ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ସ୍ଥାନୀୟ ପ୍ରଶାସନ ଏବଂ ରେଳ ବିଭାଗର ନିୟମକୁ ବେଖାତିର କରି ଜଣେ ଅନଧିକୃତ କୋଇଲା ପରିବହନକାରୀ ସଂସ୍ଥା ପ୍ରାୟ ଦୁଇ ବର୍ଷ ପୂର୍ବରୁ ତାଳଚେର ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଦ୍ଵାରା ସିଲ୍ ହୋଇଥିବା ଏକ ପ୍ଲଟ୍ରେ ଜୋର ଜବରଦସ୍ତ କୋଇଲା ଡମ୍ପିଂ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗ୍ରାମବାସୀ ମୁକ୍ତାବତୀ ପ୍ରଧାନ ଓ ବିଶ୍ୱ ରଞ୍ଜନ ପ୍ରଧାନ କହିଛନ୍ତି,”ପୂର୍ବରୁ ସେହି ପ୍ଲଟରେ କୋଇଲା ଭେଜାଲ୍ ଏବଂ ଚାରକୋଲ ମିଶ୍ରଣ ଭଳି ବେଆଇନ୍ କାର୍ଯ୍ୟ ହେଉଥିବା ଯୋଗୁଁ ସରକାରଙ୍କ ଦ୍ଵାରା ସିଲ୍ କରାଯାଇଥିଲା । ହେଲେ ଏବେ ଏକ ନିର୍ଦ୍ଧିଷ୍ଟ ସଂସ୍ଥା ଉକ୍ତ ସ୍ଥାନରେ ଜୋରଜବରଦସ୍ତ କୋଇଲା ଜମା କରିବା ଆରମ୍ଭ କରିଛି । ପ୍ରତିଦିନ ଶହ ଶହ କୋଇଲା ବୋଝେଇ ଟ୍ରକ୍ ଚଳାଚଳ କରୁଥିବାରୁ ଲୋକଙ୍କ ସବୁଦିନିଆ ରାସ୍ତା ମରଣଯନ୍ତା ପାଲଟିଛି । କୋଇଲା ଗୁଣ୍ଡ ଉଡ଼ି ପରିବେଶ ପ୍ରଦୂଷଣ ହେଉଛି । ଲୋକଙ୍କ ବ୍ୟକ୍ତିଗତ ଜମି କୌଣସି ବ୍ୟବହାର ହୋଇ ପାରୁନାହିଁ ।” ଗ୍ରାମବାସୀ ପ୍ରମୋଦ ବେହେରା କହିଛନ୍ତି,” ସରକାରୀ ସିଲ୍ ଭାଙ୍ଗି ବେଆଇନ ଅନୁପ୍ରବେଶ କରିବା ଏକ ଗୁରୁତର ଅପରାଧ । ଏହା ସିଧାସଳଖ ରାଜ୍ୟ ସରକାରଙ୍କ ଇଣ୍ଟିଗ୍ରେଟେଡ୍ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ ନିୟମର ଉଲ୍ଲଂଘନ ଅଟେ । ବିନା କୌଣସି ବୈଧ ଟ୍ରାନ୍ସପୋର୍ଟ ପାସ୍ ଏବଂ ବେଆଇନ୍ ରାସ୍ତା ଦେଇ ଭାରି ଯାନ ପରିବହନ କରୁଥିବାରୁ ସରକାରୀ ରାଜସ୍ୱ ହାନୀ ହେବା ସହ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି । ଏନେଇ ଅନୁଗୋଳ ଏଡିଏମ, ତାଳଚେର ଡିଡିଏମ ଏବଂ ବରିଷ୍ଠ ରେଳବାଇ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି ।” ଗ୍ରାମବାସୀ କହିଛନ୍ତି ଯେ, ଅନଧିକୃତ ପ୍ଲଟ୍ରେ ଡମ୍ପିଂ କରାଯାଇଥିବା ସମସ୍ତ କୋଇଲାକୁ ତୁରନ୍ତ ଜବତ କରିବା ସହ ଉକ୍ତ ସଂସ୍ଥାର ପରିବହନ ଅନୁମତି ଏବଂ ମାଇନିଂ ଲାଇସେନ୍ସକୁ ସ୍ଥାୟୀ ଭାବେ ରଦ୍ଦ କରାଯାଉ । ଅଭିଯୋଗ ପରେ ତାଳଚେର ଖଣି ଉପନିର୍ଦ୍ଦେଶକ ଦେବେନ୍ଦ୍ର ଦଳେଇ କୋଇଲା ଡମ୍ପିଙ୍ଗୟାର୍ଡରେ ଗଚ୍ଛିତ ପ୍ରାୟ ୧୭୦୦ ଟନ୍ କୋଇଲାକୁ ଜବତ କରିଛନ୍ତି |