ଏଣିକି କୋୱିନ୍‌ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ଉଲ୍ଳେଖ ରହିବ

ଭାରତୀୟଙ୍କ ଟିକାକରଣ ସ୍ଥିତିକୁ ନେଇ ଭାରତ ଓ ବ୍ରିଟେନ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାପରେ ଇଂଲଣ୍ଡ ସରକାର ନିଜର ଟ୍ରାଭେଲ ନିୟମରେ ପରିବର୍ତ୍ତନ କରିଛନ୍ତି । ଏହାରି ଭିତରେ ଟିକାର ଡବଲ୍‌ ଡୋଜ୍‌ ନେଇଥିବା ଏବଂ ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ କୋୱିନ୍‌ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ଉଲ୍ଳେଖ ରହିବ ବୋଲି ଭାରତ ପକ୍ଷରୁ କୁହାଯାଇଛି

କୋୱିନ୍‌ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ଉଲ୍ଳେଖ ରହିବା ଦ୍ୱାରା ଡବ୍ଲୁଏଚ୍‌ଓର ମାନଦଣ୍ଡକୁ ପୂରଣ କରିବ। ଉକ୍ତ ପ୍ରମାଣପତ୍ରରେ ଜନ୍ମ ତାରିଖ-ମାସ-ବର୍ଷ ଫର୍ମାଟରେ ଲେଖା ରହିବ। ବର୍ତ୍ତମାନ ସୁଦ୍ଧା ଟିକା ପ୍ରମାଣପତ୍ରରେ କେବଳ ନାମ ଓ ଟିକାକରଣ ସ୍ଥାନ ସହ କେବଳ ବୟସ ଉଲ୍ଲେଖ ରହୁଥିଲା। ଆସନ୍ତା ସପ୍ତାହ ତଥା ସୋମବାର ଠାରୁ ଏହି ନୂଆ ନିୟମ ଲାଗୁ ହେବ। ଭାରତ ସ୍ପଷ୍ଟ କରିଛି ଯେ, କୋଭିସିଲ୍‌ଡ ଟିକା ନେଇଥିବା ଭାରତୀୟ ଯାତ୍ରୀଙ୍କୁ ଯଦି ଇଂଲଣ୍ଡ ସ୍ୱୀକୃତି ନ ଦେବ ତେବେ ଇଂଲଣ୍ଡର ଯେଉଁ ଯାତ୍ରୀମାନେ ଭାରତ ଆସୁଛନ୍ତି ସେମାନଙ୍କ ପ୍ରତି ମଧ୍ୟ ସମାନ ଆଚରଣ ପ୍ରଦର୍ଶନ କରାଯିବ।
ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିସ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଅଧ୍ୟକ୍ଷ ଆର୍‌ଏସ୍ ଶର୍ମାଙ୍କୁ ସାକ୍ଷାତ୍ କରି ଆଲୋଚନା କରିବା ପରେ କୋଭିସିଲ୍‌ଡ ଟିକାକୁ ନେଇ ଇଂଲଣ୍ଡର କୌଣସି ଆପତ୍ତି ନାହିଁ ବୋଲି କହିଥିଲେ।
ଆର୍‌ଏସ୍‌ ଶର୍ମା କହିଛନ୍ତି ଯେ, ଭାରତ ଦେଉଥିବା ଟିକା ପ୍ରମାଣପତ୍ରକୁ ନେଇ କୌଣସି ସମସ୍ୟା ନ ଥିଲା, ତେବେ ଭାରତୀୟ ଟିକା ସାର୍ଟିଫିକେଟରେ ଏଣିକି କେବଳ ବୟସ ବଦଳରେ ସମ୍ପୂର୍ଣ୍ଣ ଜନ୍ମ ତାରିଖ ଉଲ୍ଲେଖ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Comments (0)
Add Comment