ଭୁବନେଶ୍ୱର: ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (ଏସ୍ଇବିସି)ର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଚଳନ କରାଯିବ। ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ବୁଧବାର ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ରାଜ୍ୟ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏସ୍ଇବିସି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଲାଗୁ ହେବ ସଂରକ୍ଷଣ ନୀତି। ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ ମାଧ୍ୟମିକ (+୨), ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିପିଏଚ୍,ଏମ୍ପିଏଡ୍ ପାଠ୍ୟକ୍ରମରେ ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନୁଷ୍ଠାନରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ଲାଗି ୨୨.୫%, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ୫% ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧% ଆସନ ସଂରକ୍ଷଣ ସମାନ ରୂପେ ପ୍ରଚଳନ କରାଯିବ। ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର (ଏସ୍ଇବିସି) ଛାତ୍ରଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ପାଇଁ ଯେଉଁ ଦୀର୍ଘଦିନର ଅପେକ୍ଷା ଥିଲା ତାହାର ଅନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ର ଦୃଷ୍ଟିକୋଣ ସହ ସମନ୍ୱୟ ରଖି, ଏହି ପଦକ୍ଷେପ ଅବହେଳିତ ଓ ପଛୁଆ ସମ୍ପ୍ରଦାୟଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବଢ଼ାଇବା, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ସମନ୍ୱିତ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି ଏବଂ ଏହା ମାଧ୍ୟମରେ ମୋଟ ନାମଲେଖା ଅନୁପାତ (ଜିଇଆର୍) ବୃଦ୍ଧି ପାଇବ। ଏଥିଯୋଗୁ ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରାଯିବ ବୋଲି ଶ୍ରୀ ମାଝୀ ସ୍ପଷ୍ଟ କରିଛନ୍ତି।