ଭୁବନେଶ୍ୱର: ଶିକ୍ଷାବର୍ଷ (୨୦୨୬- ୨୭)ର ଆସନ୍ତା ଏପ୍ରିଲ୍ ୨ରୁ ୫ ତାରିଖ ମଧ୍ୟରେ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯିବ। ଏଥିସହ ପ୍ରବେଶ ଉତ୍ସବ କରାଯିବ। ୫ରୁ ୬ ମଧ୍ୟରେ ପିଲାଙ୍କୁ ଶିଶୁ ବାଟିକାରେ ନାମଲେଖା ହେବ। ଏଥିସହ ୬ବର୍ଷର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖା ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏକ ନିମନ୍ତ୍ରଣ ପତ୍ର ପିଲାଙ୍କ ଘରକୁ ପଠାଯିବ। ଏହି ନିମନ୍ତ୍ରଣ ପତ୍ରକୁ ଶିକ୍ଷକମାନେ ବଣ୍ଟନ କରିବେ। ଏସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି, ଓଡ଼ିଶା ଶିକ୍ଷା ସର୍ବେକ୍ଷଣ(ଚାଇଲ୍ଡ ଟ୍ରାକିଂ ସର୍ଭେ-ସିଟିଏସ୍) ଦ୍ୱାରା ଗ୍ରହଣ କରାଯାଉଥିବା ତଥ୍ୟକୁ ଆଧାର କରି ନାମଲେଖା ହେବ। ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରି ସ୍କୁଲରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି। ଶିଶୁ ବାଟିକା, ପ୍ରଥମ ଶ୍ରେଣୀରେ ପିଲାମାନେ ଯେପରି ନାମ ଲେଖାଇବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ପିଲାମାନେ ଖଡ଼ି ଛୁଇଁ ଆରମ୍ଭ କରିବେ ପାଠପଢ଼ା । ପାରମ୍ପରିକ ରୀତିନୀତିରେ ପିଲାଙ୍କର ହେବ ବିଦ୍ୟାଳୟ ପ୍ରବେଶ ଉତ୍ସବ। ଆଡ଼ମ୍ବରର ସହ ପାଳନ ହେବ ଏହି ଉତ୍ସବ। ପ୍ରସ୍ତୁତି ଅନୁଯାୟୀ, ସ୍କୁଲରେ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବ। ଏଥିସହ ପିଲାଙ୍କୁ କିଟ୍ ବଣ୍ଟନ ହେବ। ଏଥିସହ ‘ଆସ ସ୍କୁଲ ଯିବା ଅଭିଯାନ’ରେ ବିଦ୍ୟାଳୟ ବାହାରେ ଥିବା ୫ ବର୍ଷରୁ ୧୮ବର୍ଷ ବୟସ ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯାଉଛି।