ଭୁବନେଶ୍ବର: ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି । କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ବାଲିଯାତ୍ରା। ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ବାଣିଜ୍ୟିକ ମେଳା, ଯାହା କାହିଁ କେଉଁ ଦିନରୁ ମହାନଦୀ କୂଳରେ ଅନୁଷ୍ଠିତ ହୋଇ ଆସୁଛି। ବାଲିଯାତ୍ରା ଅୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ମିଳିବ ବୋଲି ଘୋଷଣା କରିଥିଲେ। ଏଥି ସହିତ ସିଲଭର ସିଟି ଭାବେ ଖ୍ୟାତି ଅର୍ଜନ କରିଥିବା କଟକ ସହରକୁ ତାରକସି ହବ୍ ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେ ପୁଣି କହିଥିଲେ ମହାନଦୀ ରିଭର ଫ୍ରଣ୍ଟ ଯୋଜନାରେ କଟକ ମହାନଦୀ ତଟ ର ସୋନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଐତିହାସିକ ବାଲିଯାତ୍ରାକୁ ୟୁନେସ୍କୋ ୱାଲ୍ଡ ହେରିଟେଜ୍ ସାଇଟ୍ ର ମାନ୍ୟତା ପ୍ରଦାନ ପାଇଁ ସରକାରଂକ ପକ୍ଷରୁ ଉଦ୍ୟମ ଜାରିରହିଛି ଏବଂ ଓଡ଼ିଶାର ଗର୍ବ ବାରବାଟୀ ଦୁର୍ଗ ଓ ଗଡଖାଇର ବିକାଶ କାର୍ଯ୍ୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଗମୀ ଦିନରେ ମହାନଦୀ ପଠା ରେ ଥିବା ଧବଳେଶ୍ଵର ପୀଠ ଓ ନନ୍ଦୀକିଶୋର ପୀଠର ବିକାଶ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ବାଲିଯାତ୍ରା କେବଳ ଏକ ବାଣିଜ୍ୟ ଉତ୍ସବ ନୁହେଁ ଏହା ଓଡ଼ିଶାର କଳା, ସଂସ୍କୃତି ଓ ଧର୍ମୀୟ ଭାବନା ସହିତ ଓତପ୍ରତ ଭାବେ ଜଡ଼ିତ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ସ୍ଲୋଗାନ, ‘ବିକାଶ ଭି, ବିରାଶତ ଭି’ ମନ୍ତ୍ରକୁ ପାଥେୟ କରି ଆମ ସରକାର ରାଜ୍ୟରେ ସାଂସ୍କୃତିକ ଧୋରୋହର ଏବଂ ବିକାଶକୁ ଏକ ନୂଆ ଗତି ଦେଇଛନ୍ତି। ବାଲିଯାତ୍ରା ଉତ୍ସବ ହେଉଛି ଆମ ସଂସ୍କୃତିକ ଧରୋହରର ଜୀବନ୍ତ ପ୍ରତିକ।ଓଡିଶାରେ ୫୭୫ କିଲୋମିଟର ସୁଦୀର୍ଘ ତଟ ରେଖା ଅଛି, ଆମ ସରକାର ଏହାର ସଦୂପଯୋଗ କରି ପ୍ରମୁଖ ବନ୍ଦର ଭିତ୍ତିକ ଅର୍ଥନୀତି ମାଧ୍ୟମରେ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ।