ଦଳାଚକଟା ମୃତ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡନ: ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟିକୁ ନେଇ ବର୍ଷିଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୮ରୁ ୯ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଭିଡ଼ ଦଳାଚକଟାରେ ଦୁଇ ଜଣଙ୍କ ମୁତ୍ୟୁ ହେବା ସହିତ ଅନେକ ଆହତ ହେବା ନେଇ ଖବର ପ୍ରକାଶ ପାଇଥିଲା l ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଥିଲେ ମଧ୍ୟ ଦଳାଚକଟା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାରେ ତ୍ରୁଟିକୁ ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରେସ୍ ରିଲିଜ୍ ଅନୁସାରେ ରଥଯାତ୍ରା ସମୟରେ ଲଗାଣବର୍ଷା, କ୍ଲାନ୍ତି, ନିର୍ଜଳା ଉପବାସ, ଶ୍ୱାସକ୍ରିୟାରେ କଷ୍ଟ ଓ ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ କେତେକ ଶ୍ରଦ୍ଧାଳୁ ଅସୁସ୍ଥ ଅନୁଭବ କରିଥିଲେ। ୭ଜଣ ବ୍ୟକ୍ତି ଅସୁସ୍ଥ ଅନୁଭବ କରିବାରୁ ସେଠାରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଜଣେ ପୁରୁଷ ଭକ୍ତଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କର ମୃତ୍ୟୁର ପ୍ରକୃତ କାରଣ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁସନ୍ଧାନ କରାଯାଉଛି। ସେହିପରି ଅନ୍ୟ ଏକ ଘଟଣାରେ ଜଣେ ୩୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ହୃଦଘାତର ଶିକାର ହୋଇଥିଲେ ଓ ତାଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲେ ମଧ୍ୟ ସେ ପ୍ରାଣ ହରାଇଛନ୍ତି। ସେହିପରି ମହାପ୍ରଭୁଙ୍କ ଘୋଷଯାତ୍ରାରେ ରଥଟଣା ବିଳମ୍ବ ହେବା ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଟଣା ସଠିକ୍ ସମୟରେ ନହେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ସରକାର ଓଡ଼ିଆ ଅସ୍ମିତାକୁ ନେଇ କେବଳ ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ କାମରେ ସେଭଳି କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ରଥଯାତ୍ରାର ସଫଳ ଆୟୋଜନ ଅପେକ୍ଷା ଶାସକ ଦଳ ନିଜ ସଙ୍ଗଠନ ଓ ଦଳର ଲୋକଙ୍କୁ ଚର୍ଚ୍ଚାରେ ରଖିବା ପାଇଁ ଅଧିକ ବ୍ୟସ୍ତ ରହୁଛନ୍ତି।