ଭୁବନେଶ୍ୱର: ଭୁବନେଶ୍ୱରର ସାର୍ବଜନୀନ ଦେୟମୁକ୍ତ ଶୌଚାଳୟକୁ ଗଲେ ଦେବାକୁ ପଡିବ ୫ ଟଙ୍କା । କାରଣ, ଏଣିକି ବିଏମ୍ସି ଶୌଚାଳୟକୁ ମାଗଣାରେ ବ୍ୟବହାର କରିପାରିବେ ନାହିଁ ସାଧାରଣ ଲୋକେ। ଏନେଇ ସରକାର ନିଷ୍ପତି ନେଇଥିବା ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଚିଠି ପରେ ସବୁ ଶୌଚାଳୟକୁ ଦେୟଯୁକ୍ତ କରିବାକୁ ନିଷ୍ପତି ନେଇଛି ବିଏମ୍ସି । ଜଣେ ଲୋକ ପିଛା ୫ ଟଙ୍କା ନେବା ପାଇଁ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଦେୟଯୁକ୍ତ ଶୌଚାଳକୁ ନେଇ ସୁଲୋଚନା କହିଛନ୍ତି, ‘ଆମ ରାଜ୍ୟକୁ ଛାଡି ଅନ୍ୟ ସବୁ ରାଜ୍ୟରେ ଶୌଚାଳୟ ଦେୟଯୁକ୍ତ ରହିିଛି । ବର୍ତ୍ତମାନ ଆମ ରାଜ୍ୟରେ ଏହା ଲାଗୁହେବ । ଏନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ୧୦ ଟଙ୍କା ଭିତରେ ହିଁ ଏହି ଦେୟ ସୀମିତ ରହିବା ପାଇଁ ନିଷ୍ପତି ନିଆଯାଇଥିବାବେଳେ ପ୍ରଥମିକ ପର୍ଯ୍ୟାୟରେ ଏହା ୫ ଟଙ୍କା ନିଆଯିବ ।’ ମେୟରଙ୍କ ମତରେ, ଦେୟ ଦେଲେ ଲୋକ ସଚେତନ ଓ ଯତ୍ନବାନ ହେବେ । ଶୌଚାଳୟର ସ୍ୱଚ୍ଛତା ବଢିବ। ଲୋକଙ୍କୁ ସଚେତନ ଓ ନିଜ ଅଧିକାର ପ୍ରତି ଉତ୍ତର ଦାୟିତ୍ୱ ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି। ଓଡିଶା ସରକାର ୨୦୨୩ରେ ଦେୟମୁକ୍ତ ସାର୍ବଜନିକ ଶୌଚାଳୟ ଖୋଲିଥିଲେ। ଓଡ଼ିଶା ସରକାର ସହରାଞ୍ଚଳର ସମସ୍ତ ସାର୍ବଜନୀନ ଓ କମ୍ୟୁନିଟି ଶୌଚାଳୟକୁ ଦେୟମୁକ୍ତ କରିଥିଲେ । ୨୦୨୩ ମସିହାରୁ ନାଗରିକମାନଙ୍କୁ ଏହି ଶୌଚାଳୟ ବ୍ୟବହାର ପାଇଁ କୌଣସି ୟୁଜର ଫି (User Fee) ଦେବାକୁ ପଡ଼ୁନଥିଲା। ଏପରିକି ସବୁ ଶୌଚାଳୟ ବାହାରେ “No User Fee” ବୋର୍ଡ ଲଗାଇବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।