ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ…ବାଜି ମାରିଲେ ଝିଅ

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଫଳ-୨୦୨୫ ପ୍ରକାଶିତ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିଛି। ଏଥର ଝିଅଙ୍କ ପାସ୍ ହାର ୮୭.୨୪ ଥିବା ବେଳେ ପୁଅଙ୍କ ପାସ୍ ହାର ୭୭.୮୮ ପ୍ରତିଶତ। ଏଥର ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ। ବିଜ୍ଞାନରେ ୮୭.୪୯ ପ୍ରତିଶତ, କଳାରେ ୮୦.୫୧ ପ୍ରତିଶତ, ବାଣିଜ୍ୟରେ ୮୩.୦୨ ଓ ଧନ୍ଦାମୂଳକ ଶିକ୍ଷାରେ ୬୦.୫୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଯୁକ୍ତ୨ ବାର୍ଷିକ ପରୀକ୍ଷା-୨୦୨୫ ପାଇଁ ଏଥର ୩,୯୩,୬୧୮ ଜଣ ଫର୍ମ ଫିଲପ୍ କରିଥିଲେ। ଏଥିରୁ ୩,୮୨,୭୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ପରୀକ୍ଷାରେ ପାସ୍ ହୋଇଛନ୍ତି। ଉର୍ତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ମଧ୍ୟରେ ୧,୪୨,୫୧୨ ଛାତ୍ର ଥିବା ବେଳେ ୧,୭୪,୨୫୧ ଜଣ ଛାତ୍ରୀ ଅଛନ୍ତି।