ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିଶ୍ ହିପକିନ୍ସ

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଲେବର ପାର୍ଟିର ନେତା କ୍ରିଶ୍ ହିପକିନ୍ସ। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ ଦେଶର ଅର୍ଥନୀତି ପ୍ରତି ଗୁରୁତ୍ୱ ତେବେ ବୋଲି ହିପକିନ୍ସ କହିଛନ୍ତି।ତେବେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ତଫା ଦେବା ପରେ ହିପକିନ୍ସଙ୍କୁ ନେତା ଭାବେ ବାଛିଥିଲା ଲେବର ପାର୍ଟି।ହିପକିନ୍ସ ପୂର୍ବରୁ କୋଭିଡ ନିରାକରଣ ଓ ନୀତି ନିର୍ଦ୍ଧାରଣ ମନ୍ତ୍ରୀ ଭାବେ ଉତ୍ତମ ଭାବେ ଦାୟିତ୍ୱ ତୁଲାଇଥିବାରୁ ଦଳ ତାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିଥିଲା।

ଏ ହେଉଛି ମୋ ଜୀବନରେ ସବୁଠୁ ବଡ଼ ସୁଯୋଗ ଓ ଦାୟିତ୍ୱ। ଆଗକୁ ସମ୍ମୁଖୀନ ହେବାକୁ ଥିବା ଚାଲେଞ୍ଜ ପ୍ରତି ମୁଁ ପ୍ରସ୍ତୁତି କରୁଛି ବୋଲି ଶପଥ ଗ୍ରହଣ ସମାରୋହରେ ହିପକିନ୍ସ କହିଛନ୍ତି। ଦେଶର ଅର୍ଥନୀତିକୁ ‘ମୁଦ୍ରାସ୍ଫୀତିର ମହାମାରୀ’ ବୋଲି କହି ୪୪ ବର୍ଷିୟ ହିପ୍‌କିନ୍ସ ଅର୍ଥନୀତି ଉପରେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହାଛଡ଼ା ଦେଶର ଉପ-ପ୍ରଧାନମନ୍ତ୍ରୀ ଭାବେ କାର୍ମେଲ୍‌ ସିପୁଲୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଉପ-ପ୍ରଧାନମନ୍ତ୍ରୀ ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଶାନ୍ତ ମହାସାଗରୀୟ ଦ୍ବୀପର ଐତିହ୍ୟ ଧାରଣ କରିଥିବା ପ୍ରଥମ ମହିଳା। ତାଙ୍କ ପ୍ରତି ବିଶ୍ୱାସ ରଖିଥିବାରୁ ସେ ହିପ୍‌କିନ୍ସଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।