ଆଜି ଚିତାଲାଗି ଅମାବାସ୍ୟା:୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉ ଙ୍କ ଦର୍ଶନ

ପୁରୀ : ୨୮-୦୮ (ପି.ଏନ.ଏ): ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ବା ଚିତାଲାଗି ଅମାବାସ୍ୟା । ଘରେ ଘରେ ଏହା ଚିତୋଉ ଉଆଁସ ନାମରେ ପରିଚିତ I ଏହି ଚିତାଲାଗି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ହେବାକୁ ଥିବା ସ୍ବତନ୍ତ୍ର ନୀତି ଯୋଗୁଁ ପ୍ରଥମ ଭୋଗମଣ୍ଡପ ଶେଷ ପରେ, ଅପରାହ୍ନ ୨ଟାରୁ ୬ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ I
ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି ଲାଗି ହେବେ ବ୍ରହ୍ମଜ୍ୟୋତି ହୀରା ଚିତା। ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଦଇତାପତି, ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ଏହି ଅଳଙ୍କାର ଲାଗି କରିବେ। ଏହା ସହିତ ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯିବ। ଚିତାଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ସ୍ନାନପୂର୍ଣମୀ ଦିନ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱର ରୋଗରେ ପୀଡିତ ହୋଇ ଅଣସର ଘରେ ଥିଲେ। ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏହି ଚିତା ଗୁଡିକୁ କାଢି ନିଆ ଯାଇଥିଲା। ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା। ଆଜି ସେହି ସୋଲ ଚିତାକୁ କଢ଼ାଯାଇ ଅସଲ ଚିତା ଲାଗି କରାଯିବ।