ପୂର୍ବ ଲଦାଖ ଘାଟିରେ ଚାଇନା ର ସୈନ୍ୟ ଠୁଳ : ସ୍ଥିତି ସମୀକ୍ଷା କଲେ ସ୍ଥଳ ସେନା ମୁଖ୍ୟ

ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ ପୂର୍ବ ଲଦାଖର ଘାଟିରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଭାରତ ସୀମା ସେପଟେ ଚାଇନା ଅଧିକରୁ ଅଧିକ ଯବାନ ମୁତୟନ କରିଥିବା ସେ ସୂଚନା ଦେଇଛନ୍ତି । ତେବେ ଚାଇନାର ସବୁ ପ୍ରକାର ଚାଲ ର ଦୃଢ ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଥିବା ସେ ଦମ୍ଭୋକ୍ତି କରିଛନ୍ତି।
ଜେନେରାଲ ଙ୍କ ସୂଚନା ଅନୁସାରେ, ଏଲଏସିର ଅପରପାର୍ଶ୍ୱରେ ଚାଇନା ଆଗୁଆ ଅଧିକ ସଂଖ୍ୟକ ଯବାନ ମୁତୟନ କରି ତା’ର ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଏହା ଭାରତ ପାଇଁ ନିଶ୍ଚିତ ଚିନ୍ତାର ବିଷୟ। କିନ୍ତୁ ଚାଇନାର ସବୁ ପ୍ରକାରର ଗତିବିଧି ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ । ଆମେ ସବୁ ପ୍ରକାରର ପରିସ୍ଥିତିର ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛୁ। ଆମେ ଅତ୍ୟାଧୁନକ ଯୁଦ୍ଧାସ୍ତ୍ର ସେନା ବାହିନୀରେ ସାମିଲ କରିଛୁ। ଆମେ ସଶକ୍ତ ରହିଛୁ ଓ ଅଘଟଣର ଜବାବ ଦେବାକୁ ତୟାର ବୋଲି ସେ କହିଛନ୍ତି ।
ଲଦାଖରେ ଦୀର୍ଘ ଦିନ ହେଲା ଚାଇନା ସହ ସୀମା ବିବାଦ ଲାଗି ରହିଛି। ସ୍ଥିତି ଯାଞ୍ଚ ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ ଯାଇଛନ୍ତି। ନିକଟରେ ଦୁଇ ଦେଶ ଆଲୋଚନା ଦ୍ୱାରା ବିଭିନ୍ନ ସ୍ଥାନରୁ ଡିସଏନଗେଜମେଣ୍ଟ କରିଛନ୍ତି। ତଥାପି ଆହୁରି କିଛି ବିବାଦୀୟ ସ୍ଥାନରେ ଏବେ ଉଭୟ ଦେଶର ଯବାନ ରହିଛନ୍ତି।
ଏସବୁ ଭିତରେ ସ୍ଥଳ ସେନା ମୁଖ୍ୟ କହିଛନ୍ତି, “ବିଗତ ୬ ମାସ ହେଲା ଏଲଏସି ସ୍ଥିତି ସ୍ୱାଭାବିକ ରହିଛି। ସବୁ ସ୍ତରରେ ଆଲୋଚନା ହେଉଛି। ଇତି ମଧ୍ୟରେ ୧୨ଟି ରାଉଣ୍ଡ ଆଲୋଚନା ସରିଛି। ୧୩ତମ ରାଉଣ୍ଡ ଆଲୋଚନା ଖୁବଶୀଘ୍ର ହେବ। ମୋର ଆଶା ସବୁ ପଏଣ୍ଟରେ ଖୁବଶୀଘ୍ର ସେନା ପ୍ରତ୍ୟାହାର ହେବେ।”
ବର୍ତ୍ତମାନ ଭାରତ ଓ ଚାଇନା ମଧ୍ୟରେ ହଟସ୍ପ୍ରିଙ୍ଗସ ସମେତ ଦେସପାଙ୍ଗ ଓ ଡେମଚୋକରୁ ସେନା ପ୍ରତ୍ୟାହାର କରିବାକୁ ବୁଝାମଣା ଚାଲିଛି।
ସ୍ଥଳସେନା ମୁଖ୍ୟ ଜେନେରାଲ ନରଭାଣେ ସୀମା ପାର ଅନୁପ୍ରବେଶ ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସୀମାନ୍ତରେ କିଛି ମାସ ହେଲାଣି ଗୁଳି ଓ ମୋର୍ଟାର ମାଡ଼ ବନ୍ଦ ରହିଛି। କିନ୍ତୁ ଏଲଓସି ଡେଇଁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ପୁଣିଥରେ ଉଦ୍ୟମ ଆରମ୍ଭ କରିଛନ୍ତି।
ଏହାର ମୁକାବିଲା କରିବାକୁ ଭାରତୀୟ ସେନା ସତର୍କ ହୋଇ ରହିଛି। ଏଥିସହ ଗତ ସପ୍ତାହରେ ହୋଇଥିବା ଅନୁପ୍ରବେଶକୁ ମଧ୍ୟ ବେଶ ସଫଳତାର ସହ ପଣ୍ଡ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ସହ ଅସ୍ତ୍ର ବିରତି ଚୁକ୍ତି ଭଲ ଫଳ ଆଣିଛି। କିନ୍ତୁ ଅନୁପ୍ରବେଶ ଉଦ୍ୟମ ଆରମ୍ଭ ହୋଇଛି। ଏହାକୁ ଆମେ ପଣ୍ଡ କରୁଛୁ। ପାକିସ୍ତାନ ଆର୍ମିର ଅଗୋଚରରେ ଏପରି ଅନୁପ୍ରବେଶ ସମ୍ଭବ ନୁହେଁ ବୋଲି ଜେନେରାଲ ନରଭାଣେ କହିଛନ୍ତି।
ଅନ୍ୟପକ୍ଷରେ ଲଦାଖ ସୀମାରେ ଭାରତ ସେନାର ଶକ୍ତି ବୃଦ୍ଧି ହୋଇଛି। ଭାରତୀୟ ସେନାରେ କେ-୯ ବଜ୍ର ସାମିଲ ହୋଇଛି। ଏହି ସ୍ୱଂୟକ୍ରିୟ ବଜ୍ର-୯ ଟ୍ୟାଙ୍କକୁ ଆଗୁଆ ଘାଟିରେ ମୁତୟନ କରାଯାଇଛି।

Comments (0)
Add Comment