ଚନ୍ଦ୍ରରେ ନ୍ୟୁକ୍ଲିୟର ପ୍ଲାଣ୍ଟ କରିବେ ଚାଇନା-ଋଷିଆ

ନୂଆଦିଲ୍ଲୀ: ଚନ୍ଦ୍ରରେ ଏକ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ର୍ନିମାଣ କରିବାକୁ ଯୋଜନା କରିଛନ୍ତି ଚାଇନା ଓ ରୁଷିଆ । ଏହି ପ୍ରକଳ୍ପ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ଅଧିକୃତ ଗବେଷଣା କେନ୍ଦ୍ର, ଅର୍ଥାତ ଇଣ୍ଟରନ୍ୟାସନାଲ ଲୁନାର ରିସର୍ଚ୍ଚ ଷ୍ଟେସନ (ଆଇଏଲଆରଏସ) ପାଇଁ ଶକ୍ତି ଯୋଗାଇବ। ଏହି ଘୋଷଣା ଆମେରିକାର ମହାକାଶ ସଂସ୍ଥା ନାସା ପାଇଁ ଚିନ୍ତାର କାରଣ ହୋଇଛି, କାରଣ ଏହା ନାସାର ଆର୍ଟେମିସ ପ୍ରୋଗ୍ରାମକୁ ପଛରେ ପକାଇ ଚୀନ ଓ ରୁଷିଆକୁ ମହାକାଶ ଗବେଷଣାରେ ଆଗେଇ ଦେଇପାରେ। ଚୀନ ଓ ରୁଷିଆ ୨୦୨୧ରେ ଆଇଏଲଆରଏସ ନିର୍ମାଣ ପାଇଁ ଏକ ମେମୋରାଣ୍ଡମ ଅଫ ଆଣ୍ଡରଷ୍ଟାଣ୍ଡିଂ ସୱାକ୍ଷର କରିଥିଲେ। ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଚନ୍ଦ୍ରମାର ଦକ୍ଷିଣ ମେରୁରେ ଏକ ସ୍ଥାୟୀ ଗବେଷଣା କେନ୍ଦ୍ର ସ୍ଥାପନ କରିବା। ଏହି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ପ୍ରାୟ ୦.୫ ମେଗାୱାଟ ଶକ୍ତି ଉତ୍ପାଦନ କରିବ, ଯାହା ଚନ୍ଦ୍ରମାର ୧୪ ଦିନିଆ ରାତ୍ରି ସମୟରେ ସୌର ଶକ୍ତିର ଅଭାବକୁ ପୂରଣ କରିବ। ରୁଷିଆର ମହାକାଶ ସଂସ୍ଥା ରସକୋସମସର ମୁଖ୍ୟ ଯୁରି ବୋରିସୋଭ କହିଛନ୍ତି ଯେ, ଏହି ପ୍ଲାଣ୍ଟ ସୱୟଂଚାଳିତ ଭାବେ ର୍ନିମାଣ କରାଯିବ, ଯେଉଁଥିରେ ମଣିଷର ସିଧାସଳଖ ହସ୍ତକ୍ଷେପ ଆବଶ୍ୟକ ହେବ ନାହିଁ।


ଏହି ଚୁକ୍ତି ନାସା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି, କାରଣ ନାସାର ଆର୍ଟେମିସ ପ୍ରୋଗ୍ରାମ ବଜେଟ କଟୌତୀ ଓ ବିଳମ୍ବ ହେତୁ ପଛରେ ପଡ଼ିଛି। ନାସା ୨୦୨୫ ଡିସେମ୍ବରରେ ଚନ୍ଦ୍ରରେ ମାନବ ଅବତରଣ କରାଇବାକୁ ଲକ୍ଷ୍ୟ ରଖିଛି, କିନ୍ତୁ ଚୀନ ଓ ରୁଷିଆର ଏହି ଯୌଥ ପ୍ରୟାସ ମହାକାଶ ପ୍ରତିଯୋଗିତାରେ ଆମେରିକାର ଆଧିପତ୍ୟକୁ ଚ୍ୟାଲେଞ୍ଜ କରିପାରେ। ଏହା ସହ, ଆଇଏଲଆରଏସରେ ଇଜିପ୍ଟ, ପାକିସ୍ତାନ, ଭେନେଜୁଏଲା, ଥାଇଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସମେତ ୧୭ଟି ଦେଶର ସମର୍ଥନ ଏହି ପ୍ରକଳ୍ପକୁ ଆନ୍ତର୍ଜାତୀୟ ମହତ୍ୱ ପ୍ରଦାନ କରୁଛି। ଚନ୍ଦ୍ରରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ର୍ନିମାଣ ଏକ ଜଟିଳ କାର୍ଯ୍ୟ। ଏହାର ର୍ନିମାଣ ପାଇଁ ରୋବୋଟିକ ଟେକ୍ନୋଲୋଜି ଏବଂ ନ୍ୟୁକ୍ଲିୟୟ ଶକ୍ତିଚାଳିତ କାର୍ଗୋ ରକେଟର ଆବଶ୍ୟକତା ରହିଛି, ଯାହା ଏପର୍ଯ୍ୟନ୍ତ ବିକଶିତ ହୋଇନାହିଁ। ଏହା ସହ, ନ୍ୟୁକ୍ଲିୟର ରିଆକ୍ଟରର କୁଲିଂ ସିଷ୍ଟମ ପାଇଁ ମଧ୍ୟ ନୂଆ ଟେକ୍ନୋଲୋଜିର ଆବଶ୍ୟକତା ରହିଛି। ତେବେ, ବୈଜ୍ଞାନିକମାନେ ଆଶ୍ୱାସନା ଦେଇଛନ୍ତି ଯେ, ନ୍ୟୁକ୍ଲିୟର ଇନ୍ଧନ ପରିବହନ ସୁରକ୍ଷିତ ଏବଂ ଯଦି କୌଣସି ଉତ୍କ୍ଷେପଣ ବିଫଳ ହୁଏ, ତେବେ ରେଡିଏସନ ଜନିତ ବିପଦ ନାମମାତ୍ର ରହିବ। ରିଆକ୍ଟରଗୁଡ଼ିକୁ ସୱୟଂଚାଳିତ ଭାବେ ବନ୍ଦ ହେବା ପାଇଁ ଡିଜାଇନ କରାଯାଇଛି, ଯାହା ସୁରକ୍ଷା ନିଶ୍ଚିତ କରିବ ।