ଭାରତୀୟ କଫ୍‌ ସିରପ୍‌ ପିଇ ଗାମ୍ବିୟାରେ ଶିଶୁ ମୃତ୍ୟୁ: ସିଡିସି ରିପୋର୍ଟ

ଗାମ୍ବିୟାରେ କଫ୍‌ ସିରପ୍‌ ପିଇ ଶିଶୁ ମୃତ୍ୟୁ ଘଟଣାରେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଦାୟୀ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାରର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି)। ତଦନ୍ତରେ ଗାମ୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଅଧିକାରୀମାନେ ମଧ୍ୟ ସାମିଲ ଥିଲେ । ମେଡ୍‌ ଇନ୍‌ ଇଣ୍ଡିଆ କଫ୍‌ ସିରପ୍‌ ପିଇ ଦେଶର ଅନେକ ଶିଶୁଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଗାମ୍ବିୟାରେ ଶିଶୁ ମୃତ୍ୟୁକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଗତ ବର୍ଷ ଅକ୍ଟୋବର ମାସରେ ଏକ ସତର୍କ ସୂଚନା ଜାରି କରିଥିଲା । ଯେଉଁଥିରେ ପ୍ରକାଶ ପାଇଥିଲା ଯେ, ଭାରତୀୟ ଔଷଧ ନିର୍ମାତା କମ୍ପାନୀ ମେଡେନ୍‌ ଫାର୍ମାସ୍ୟୁଟିକାଲ ଲିମିଟେଡ୍‌ର ସିରଫ୍‌ ଗୁଡିକ ନିମ୍ନମାନର । ଯାହା କି ଶିଶୁମାନଙ୍କ ମୃତ୍ୟୁର ପ୍ରମୁଖ କାରଣ ସାଜିଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ, ମାତ୍ର କିଛି ଦିନ ମଧ୍ୟରେ ହିଁ କଫ‌ ସିରପ୍‌ ପିଇ ୬୬ରୁ ଉର୍ଦ୍ଧ୍ବ ଶିଶୁଙ୍କ ଜୀବନ ଚାଲିଯାଇଥିଲା ।

ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ସଂଗଠନ ପକ୍ଷରୁ ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ‘ଭାରତୀୟ କମ୍ପାନୀ ଯେଉଁ କଫ୍‌ ସିରପ୍‌ ତିଆରି କରୁଥିଲା ସେଥିରେ ଡାଇଥିଲିନ୍‌ ଗ୍ଲାଏକୋଲ୍‌ (DEG) ଓ ଇଥେଲିନ୍‌ ଗ୍ଲାଏକୋଲ୍‌ (EG) ରହିଥିଲା । ଯାହାକି ଶରୀର ପାଇଁ ଅନାକ ମାତ୍ରାରେ କ୍ଷତି କାରକ । ଶିଶୁମାନଙ୍କ କିଡନୀ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ । ଯେଉଁଥି ପାଇଁ ମୃତ୍ୟୁର ଆଶଙ୍କା ମଧ୍ୟ ଅଧିକ ରହିଥାଏ । ଗାମ୍ବିୟାରେ ମୃତକ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ସମାନ ଲକ୍ଷଣ ଦେଖିବାକୁ ମିଳିଥିଲା ।

ରିପୋର୍ଟ ଅନୁଯାୟୀ, ଯେଉଁ ଶିଶୁଙ୍କୁ ଏହି କଫ୍‌ ସିରପ୍‌ ଦିଆଯାଉଥିଲା ସେମାନଙ୍କ ଶରୀରରେ ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା । ଯେପରିକି ମୁଣ୍ଡ ବିନ୍ଧା, ମାନସିକ ଅସ୍ଥିରତା ତଥା ପାକସ୍ଥଳି ସମସ୍ୟା ଦେଖାଯାଉଥିଲା । ଫଳରେ କିଛି ଦିନ ମଧ୍ୟରେ ହିଁ ଶିଶୁଙ୍କ ମୃତ୍ୟୁ ଘଟୁଥିଲା ।

ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର ଗତ ଫେବୃଆରୀରେ ଲୋକସଭାରେ କହିଥିଲେ ଯେ, ‘ଯେଉଁ କଫ୍‌ ସିରପ୍‌କୁ ନେଇ ଅଭିଯୋଗ ଆସିଛି ତାହାକୁ ଯାଞ୍ଚ କରାଯାଇଥିଲା । ନମୂନା ପରୀକ୍ଷଣ କରାଯିବା ପରେ ସେଥିରେ ଏଭଳି କୌଣସି ସ୍ବାସ୍ଥ୍ୟ ପାଇଁ ହାନିକାରକ କେମିକାଲ ନଥିଲା । ସିରପ୍‌କୁ ଷ୍ଟାଣ୍ଡାର୍ଡ କ୍ବାଲିଟି ବା ଗୁଣବତ୍ତା ଭଲ ଥିଲା’।