ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ସତ ନା ମିଛ

ଭୁବନେଶ୍ୱର: ବିଜେଡି ଉପସଭାପତି ପଦରୁ ବାହାରିବା ପରେ ମୁହଁ ଖୋଲିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ । ଏହି ଦସ୍ତଖତ  ଅସଲି  ନା ନକଲି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।

ଆଜି ବିଜୁ ଜନତା ଦଳ ଉପସଭାପତି ପଦରୁ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବାହାର କରି ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ଏହି ନୋଟିସରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ରହିଛି । ଏହି ଦସ୍ତଖତକୁ ନେଇ ସୌମ୍ୟ ସନ୍ଦେହ ପ୍ରକାଶ କରିଛନ୍ତି । ସାମ୍ବାଦିକମାନଙ୍କୁ ପ୍ରଶ୍ନର ଉତ୍ତର ଦେଇ ବିଧାୟକ କହିଥିଲେ, ପଦରୁ ବାହାର କରିବା ସଭାପତିଙ୍କ ଇଚ୍ଛାଧିନ ବ୍ୟାପାର। ସେ କାହାକୁ ସହଯୋଗୀ ଭାବେ ନେଇ କାମ କରିବେ,  କାହାକୁ ବାହାର କରିବେ ଏହା ତାଙ୍କ ଉପରେ ନିର୍ଭର କରେ ।  ତେଣୁ ତାଙ୍କୁ ଉପ ସଭାପତି ପଦରୁ କାଢିଦେବାରେ କିଛି ଅସ୍ୱାଭାବିକତା ନାହିଁ ବୋଲି ସେ କହିଛନ୍ତି ।

ଉପସଭାପତି ପଦରୁ ବାହାରିବା ପରେ ତାଙ୍କର ପ୍ରତିକ୍ରିୟା କ’ଣ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ,  ‘ପଦବୀରୁ ବାହାରିବା ପରେ  ମୋତେ କିଛି ହରେଇବା ପରି ଲାଗୁନି । କାରଣ ଉପ ସଭାପତି ପଦରେ ଥାଇ ମୁଁ କ’ଣ କରୁଥିଲି ଯେ ମୋତେ ବାହାର କରିଦେଲେ ମୁଁ ହରେଇଲି ବୋଲି କହିବି । ଏ ପଦ କେବଳ ଏକ ଆଳଙ୍କାରିକ ଥିଲା ।’

ତେବେ ଏହି ଦସ୍ତଖତକୁ ନେଇ ସନ୍ଦେହ ହେଉଛି ଏବଂ ଏହା ଅସଲି ନା ନକଲି  ଜଣାପଡୁନି ବୋଲି କହିଥିଲେ ସୌମ୍ୟ ପଟ୍ଟନାୟକ । ସେ କହିଥିଲେ,  ଏକ ସପ୍ତାହ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ୨ ମିନିଟ ସମୟ ମାଗିଥିଲି । ହେଲେ ସମୟ ତାଙ୍କୁ ମିଳି ନ ଥିଲଶ । ହେଲେ କିଛି ଦିନ ପରେ ମିଳିଲା ଏ ନୋଟିସ । ତେଣୁ ମୋତେ ଏହି ଦସ୍ତଖତ ସନ୍ଦେହରେ ପକାଉଛି ବୋଲି କହିଛନ୍ତି ବିଧାୟକ ସୌମ୍ୟ ପଟ୍ଟନାୟକ ।