ଡିସେମ୍ବର ପହିଲା ସୁଦ୍ଧା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୪୮ ଲକ୍ଷ ହିତାଧିକାରୀଙ୍କୁ ଶୀତ ସହାୟତା

ଭୁବନେଶ୍ୱର: ଡିସେମ୍ବର ପହିଲା ସୁଦ୍ଧା ରାଜ୍ୟର ୪୮ ଲକ୍ଷ ଗରିବ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ମିଳିବ । ମଧୁବାବୁ ପେନ୍‌ସନ ଯୋଜନା ଓ ଜାତୀୟ ପେନ୍‌ସନ ଯୋଜନା ଅନ୍ତର୍ଗତ ୪୮ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବେ । ଏଥିପାଇଁ ସରକାର ରାଜ୍ୟ ରାଜକୋଷରୁ ୧୪୬ କୋଟି ଟଙ୍କା ବ୍ୟୟ କରିବେ । ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ତଥା ବରିଷ୍ଠ ନାଗରିକଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିିବା ଆରମ୍ଭ ହୋଇଗଲାଣି । କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାସହିତ ଶୀତ ପ୍ରବାହ ସମୟରେ କେହି ଯେପରି ଖୋଲା ସ୍ଥାନରେ ଅସହାୟ ଭାବରେ ନ ରୁହନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ତଥା ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସରକାର ପେନ୍‌ସନ ହିତାଧିକାରୀଙ୍କୁ ଗ୍ରୀଷ୍ମ ଓ ଶୀତ ସହାୟତା ଯୋଗାଇ ଦେଇଆସିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୫ଟି ଯାତ୍ରୀ ଆଶ୍ରୟସ୍ଥଳୀ ଖୋଲାଯାଇଥିବାବେଳେ ଆବଶ୍ୟକସ୍ଥଳେ ପଞ୍ଚାୟତ କାର୍ଯ୍ୟାଳୟ ଓ ସ୍କୁଲ ଘର ଗୁଡିକୁ ମଧ୍ୟ ରାତ୍ରି ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯିବ । ୩୦ ନଭେମ୍ବର ଓ ୧ ଡିସେମ୍ବର ଏହି ଦୁଇ ଦିନ ମଧ୍ୟରେ ସବୁ ହିତାଧିକାରୀ ଯେପରି ଏ ସହାୟତା ପାଇବେ, ସେଥିପାଇଁ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ତଥା ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।