ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ । 5T ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଜୁନ୍ ୨ ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍, ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଶତାଧିକ ଖଣ୍ଡ ବିଖଣ୍ଡିତ ମୃତଦେହକୁ ବାହାନଗା ସ୍କୁଲ୍ ପରିସରରେ ରଖା ଯାଇଥିଲା । ଦୁଇ ଦିନ ପରେ ପ୍ରଶାସନ ମୃତଦେହକୁ ସ୍କୁଲରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।
ତେବେ ମୃତଦେହ ରଖାଯାଇଥିବା କୋଠରୀରେ କିଛି ସ୍ଥାନରେ ରକ୍ତଛିଟା ପଡ଼ିଥିବା ଗ୍ରାମବାସୀ କହିଥିଲେ । ତେଣୁ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟ ଡରି ଯାଇଥିଲେ । ଏପରିକି କିଛି ଅଭିଭାବକ ଛୁଆଙ୍କୁ ସ୍କୁଲକୁ ପଠାଇବେ ନାହିଁ ବୋଲି କହିଥିଲେ । ଖରା ଛୁଟି ପରେ ବିଦ୍ୟାଳୟ ଖୋଲିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ତଥାପି ଗ୍ରାମବାସୀ ଓ ଅଭିଭାବକ ସ୍କୁଲ ଭାଙ୍ଗିବାକୁ ଅଡି ବସିଥିଲେ । ଜିଲ୍ଲାପାଳ ସ୍କୁଲ୍ ପରିଦର୍ଶନ କରି ଆଲୋଚନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନ୍ ଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।
ସମସ୍ତଙ୍କର ମତାମତ ନେଇଥିଲେ । ଯେହେତୁ ଛାତ୍ରଛାତ୍ରୀ ଅଭିବାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରେ ସେ ଦିନର ଦୃଶ୍ୟ ଏବେ ବି ଭୟ ସୃଷ୍ଟି କରିଛି ଏବଂ ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି , ତେଣୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବାହନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରି ସ୍କୁଲକୁ ଭାଙ୍ଗି ତା’ର ପୁନଃନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।