ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:ଶିଶୁବାଟିକାରେ ମିଶିବ ଅଙ୍ଗନବାଡି

ଭୁବନେଶ୍ୱର: ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ସରକାର। ଏଣିକି ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଶିଶୁବାଟିକା ସହ ମିଶ୍ରଣ କରାଯିବ। ଆଜି ‘ଖଡ଼ିଛୁଆଁ’ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହାଦ୍ୱାରା ଶିଶୁବାଟିକାରୁ ପ୍ରାଥମିକ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ସୁବିଧା ପିଲାମାନଙ୍କୁ ଗୋଟିଏ ଛାତ ତଳେ ମିଳିପାରିବ। ପ୍ରାଥମିକ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରତି ଗାଁରେ ମଡେଲ୍ ସ୍କୁଲ୍ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି କ୍ରମରେ ପ୍ରାୟ ୫ ଏକର ପରିମିତ ଜମିରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ ହେବ। ଏଥିପାଇଁ ପ୍ରାୟ ୬ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସୂଚନାଯୋଗ୍ୟ ଯେ, ଆଜି ସ୍କୁଲ ପ୍ରବେଶ ଉତ୍ସବ ଅବସରରେ ଭୁବନେଶ୍ୱର ସ୍ଥିତ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କ ବିଦ୍ୟାରମ୍ଭ କରାଇଥିଲେ।