ନୂଆଦିଲ୍ଲୀ: ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା’ ଏବଂ ସ୍ୱତନ୍ତ୍ର ବସ୍ ସେବାର ଶୁଭାରମ୍ଭ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର-ନଭେମ୍ବର ମାସ ମଧ୍ୟରେ ସ୍ନାତକ ପଢ଼ୁଥିବା ୫୦,୦୦୦ ଜଣ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡବଲ-ଇଞ୍ଜିନ୍ ସରକାର ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ସ୍ୱାବଲମ୍ବନକୁ ପ୍ରାଥମିକତା ଦେଉଛନ୍ତି। କନ୍ୟା ସନ୍ତାନର ଜନ୍ମଠାରୁ ଆରମ୍ଭ କରି ଶିକ୍ଷା, ନିଯୁକ୍ତି ଏବଂ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସରକାର ସୁରକ୍ଷା ଓ ସହଯୋଗର ଗ୍ୟାରେଣ୍ଟି ଦେଉଛନ୍ତି।ରକ୍ଷାବନ୍ଧନ ପାଳନ ପାଇଁ ଅଗଷ୍ଟ ୨୭, ୨୮ ଏବଂ ୨୯ ତାରିଖରେ ୟୁପି ପରିବହନ ନିଗମ ଏବଂ ସିଟି ବସ୍ରେ ସମସ୍ତ ମହିଳା ଓ ଝିଅମାନେ ମାଗଣାରେ ଯାତ୍ରା କରିପାରିବେ। ଅଗଷ୍ଟ ୨୯ ପରଠାରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମହିଳାମାନଙ୍କ ପାଇଁ ବସ୍ ଯାତ୍ରା ସମ୍ପୂର୍ଣ୍ଣ ମାଗଣା ହେବ। ଏଥିପାଇଁ ସେମାନଙ୍କୁ କେବଳ ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇବାକୁ ପଡ଼ିବ; ସମସ୍ତ ଭଡ଼ା ସରକାର ବହନ କରିବେ। ଏହି ଯୋଜନାକୁ “ଲୋକମାତା ଅହଲ୍ୟାବାଇ ହୋଲକର ମାତୃଶକ୍ତି ଯୋଜନା” ନାମରେ ନାମିତ କରାଯାଇଛି।