ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲି ଅବସରରେ  ହାର୍ଦ୍ଦିକ ଶୁଭେଚ୍ଛା  ଜଣାଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏନେଇ ସେ କହିଛନ୍ତି, ରଙ୍ଗର ପର୍ବ  ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ଭାତୃତ୍ୱ ଓ ସଦଭାବନାର ଏହି ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ । ରାଧା ଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି। ଅନ୍ୟପଟେ ସାରା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ଭଲପାଇବା ପରିପ୍ରକାଶ କରୁଛି । ପରିବାର, ବନ୍ଧୁ, ପ୍ରିୟଜନକୁ ନେଇ ରଙ୍ଗ ଖେଳରେ ସମସ୍ତେ ମସଗୁଲ। ପିଠା, ମିଠା ,ପାନ ଖାଇବାର ଆସର ବି ଜମୁଛି । ରଙ୍ଗ ଲଗାଇ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ଭୁବନେଶ୍ବର, କଟକ, ବ୍ରହ୍ମପୁର ସମେତ ରାଜ୍ୟର କୋଣ ଅନୁକୋଣରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ସବୁଠି ଦେଖାଦେଇଛି ଉତ୍ସବର ପରିବେଶ ।