ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । ଜୟନ୍ତୀଙ୍କୁ ୧୫ ଲକ୍ଷ, ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡାବିତଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରି କହିଥିଲେ ଯେ, ସେମାନେ ରାଜ୍ୟ ପାଇଁ ଗୌରବ ଆଣି ଅନ୍ୟ ଖେଳାଳୀ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ସେମାନେ ସାରା ବିଶ୍ୱରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରକାଶ କରି, ଆଗାମୀ ଦିନରେ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ, ଜୟନ୍ତୀଙ୍କୁ  ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ।  ସୂଚନାଯୋଗ୍ୟ ଯେ ଶ୍ରୀୟଙ୍କା ନିକଟରେ କାଇରୋ ଠାରେ ଅନୁଷ୍ଠିତ ISSF ବିଶ୍ବକପ୍‌ ସୁଟିଂ ପ୍ରତିଯୋଗୀତାରେ ୫୦ ମିଟର ରାଇଫଲ ୩ ପୋଜିସନରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି। ସେ ମଧ୍ୟ ବର୍ତ୍ତମାନ ଜାତୀୟ ସୁଟିଙ୍ଗ ଚାମ୍ପିଅନ ଭାବେ ସୁନାମ ଅର୍ଜନ କରିଛନ୍ତି।

ସେହିପରି ଜୟନ୍ତୀ ବେହେରା ଦୁବାଇ ଠାରେ ଅନୁଷ୍ଠିତ ବିଶ୍ବ ପାରା ଆଥଲେଟିକ୍‌ସ ପ୍ରତିଯୋଗୀତାରେ ୩ଟି ମେଡାଲ ହାସଲ କରିଛନ୍ତି।  ୪୦୦ ଓ ୧୦୦ ମିଟର ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ ପଦକ ପାଇଥିବା ବେଳେ, ୨୦୦ ମିଟର ପ୍ରତିଯୋଗୀତାରେ  ରୌପ୍ୟ ପଦକ ପାଇଛନ୍ତି। ଉଭୟ କ୍ରୀଡାବିତ୍ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ଓ କ୍ରୀଡାବିତ୍ ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପର ଉଚ୍ଚପ୍ରଶଂସା କରିଥିଲେ। ଦୁଇ ଖେଳାଳି ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁସିରେ ସେଲଫି ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।