ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ; ୧.୦୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ପଞ୍ଚମ କିସ୍ତି

ଭୁବନେଶ୍ବର: ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶା ସରକାରଙ୍କ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି। ନୟାଗଡ଼ ବ୍ଲକ୍‌ ଲାଠିପଡ଼ା ଖେଳ ପଡ଼ିଆଠାରେ ଆୟୋଜିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୧.୦୩ କୋଟିରୁ ଅଧିକ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ଡିବିଟି (DBT) ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସମାବେଶକୁ ସମ୍ବୋଧିତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ସମାରୋହରେ ଯୋଗଦେଇ ମହିଳା ହିତାଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।