ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ମାସିକ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଦାୟିତ୍ୱ ତୁଲାଉଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଏଣିକି ସେମାନେ କାର୍ଯ୍ୟ କରୁଥିବା ସ୍ଥାନ ଏବଂ ପୋଷ୍ଟିଂର ଭୌଗୋଳିକ ସ୍ଥିତି ଅନୁଯାୟୀ ମାସିକ ପ୍ରୋତ୍ସାହନ ରାଶି ପ୍ରାପ୍ତ କରିବେ। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଫଳରେ ଦୂରଦୂରାନ୍ତରରେ ଅବସ୍ଥିତ କଲେଜଗୁଡ଼ିକରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପାଇଁ ଅଧ୍ୟାପକମାନେ ଅଧିକ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା କରାଯାଉଛି। ଏହାଦ୍ୱାରା ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନ ଏବଂ ପ୍ରଶାସନିକ ପ୍ରକ୍ରିୟା ସୂଚାରୁ ରୂପେ ଜାରି ରହିବ। ପ୍ରକାଶିତ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୪୮୮ ଏବଂ ୬୬୨ ବର୍ଗର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନେ ଏହି ସୁବିଧା ପାଇବେ। ଏହାଦ୍ୱାରା ପ୍ରାୟ ୬୪୧ଟି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସିଧାସଳଖ ଉପକୃତ ହେବେ। ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ ଯେଉଁ ଅଧ୍ୟକ୍ଷମାନେ ନିଜ ଜିଲ୍ଲାରେ କିମ୍ୱା ଉନ୍ନତ ସହରାଞ୍ଚଳରେ ଅବସ୍ଥାପିତ ଥିବେ, ସେମାନଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ନିଜ ଜିଲ୍ଲା ବାହାରେ ପୋଷ୍ଟିଂ ଥିଲେ ମାସିକ ୭ ହଜାର ଟଙ୍କା ପ୍ରଦାନ କରାଯିବ। ନିଜ ଜିଲ୍ଲା କିମ୍ୱା ବାସସ୍ଥାନଠାରୁ ୩୦୦ କିଲୋମିଟରରୁ ଅଧିକ ଦୂରରେ ପୋଷ୍ଟିଂ ଥିଲେ ମାସକୁ ୯ ହଜାର ଟଙ୍କା ମିଳିବ। ଭୌଗୋଳିକ ଦୃଷ୍ଟିରୁ ଅତି ଦୂର ଓ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ସର୍ବାଧିକ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ। ଏହି ବର୍ଗଗୁଡ଼ିକ ଏକ ସ୍ୱତନ୍ତ୍ର କମିଟି ଦ୍ୱାରା ନିର୍ଦ୍ଧାରିତ କରାଯିବ। ଏହି ଯୋଜନା କାର୍ଯ୍ୟକାରୀ ହେବା ପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୬ କୋଟି ଟଙ୍କା ବ୍ୟୟ କରିବେ। ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ଏହି ନିୟମ ଲାଗୁ ହେବ।