ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା

ଭୁବନେଶ୍ବର:  ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ମାସ ୧୮ ତାରିଖରେ ବାଲେଶ୍ୱର ଗସ୍ତ କରି କ୍ଷତିଗ୍ରସ୍ତ ମାନଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ବର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ପାଇଁ ସହାୟତା ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ…

1-ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ତୁରନ୍ତ ମରାମତି ନିମନ୍ତେ ୧,୨୦,୦୦୦ ଟଙ୍କା

2- ଆଂଶିକ ଭାବେ କ୍ଷତିଗ୍ରସ୍ତ ପକ୍କା ବାସଗୃହର ମରାମତି ନିମନ୍ତେ ୬,୫୦୦ ଟଙ୍କା

3- ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪୦୦୦ ଟଙ୍କା

4- ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦ ଟଙ୍କା

5- ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।

6- ପରିବାରଙ୍କର ବାସଗୃହ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲେ କିମ୍ବା ୨ ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦ ଟଙ୍କା

7- ବାସନ କୁସନ ପାଇଁ ୨୫୦୦ ଟଙ୍କା ଆର୍ଥିକ ସହାୟତାରାଶି ଯୋଗାଇ ଦିଆଯିବ ।

8- କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ଫସଲ/ଉଦ୍ୟାନ କୃଷି କ୍ଷୟକ୍ଷତିର ଭରଣା ନିମନ୍ତେ ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା

9- ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା

10- ସମସ୍ତ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ଆର୍ଥିକ ସହାୟତାରାଶି ପ୍ରଦାନ କରାଯିବ। ଏହି ସହାୟତା ସର୍ବାଧିକ ୨ ହେକ୍ଟର ପାଇଁ ଯୋଗାଇଦିଆଯିବ ।

11- ସେହିଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାଲିଚର ସହାୟତା ( ଯଦି ୩ ଇଞ୍ଚରୁ ଉର୍ଦ୍ଧ ବାଲିଚର ହୋଇଥାଏ) ହେକ୍ଟର ପିଛା ୧୮,୦୦୦ ଟଙ୍କା ସର୍ବନିମ୍ନ ୨୨୦୦ ଟଙ୍କା

12- ମାଛଚାଷ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା

13- ଯଦି ଚାଷ ଜମିର ଅନେକାଂଶ ଭୂସ୍ଖଳନ ଯୋଗୁଁ, ନଦୀର ଗତିପଥ ପରିବର୍ତ୍ତନ ଯୋଗୁଁ କ୍ଷୟ ହୋଇଥାଏ ତେବେ ହେକ୍ଟର ପିଛା ୪୭,୦୦୦ ଟଙ୍କା । ଏଥିପାଇଁ ଚାଷୀ ପିଛା ସର୍ବନିମ୍ନ ୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

14- ମତ୍ସ୍ୟଜୀବି ମାନଙ୍କ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬,୦୦୦ ଟଙ୍କା

15- ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩୦୦୦ ଟଙ୍କା

16- ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫,୦୦୦ ଟଙ୍କା

17- ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪,୦୦୦ ଟଙ୍କା

18- ମତ୍ସ୍ୟ ଯାଆଁଳ ଚାଷ (Fish seed farm) ର କ୍ଷତି ପାଇଁ ହେକ୍ଟର ପିଛା – ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।

19- ମୃତ ଗୃହପାଳିତ ପଶୁମାନଙ୍କ ପାଇଁ ଦୁଧିଆଳୀ ପଶୁ ଯଥା ମଇଁଷି, ଗାଈ ପିଛା ୩୭,୫୦୦ ଟଙ୍କା

20- ଛେଳି ବା ମେଣ୍ଢା ପିଛା ୪୦୦୦ ଟଙ୍କା, ଭାରବାହୀ ପଶୁ ଯଥା ବଳଦ, ମଇଁଷି, ଘୋଡ଼ା ପିଛା ୩୨,୦୦୦ ଟଙ୍କା, ବାଛୁରୀ, ଗଧ ଏବଂ ଖଚର ପିଛା ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହି ସହାୟତା ରାଶି ଗୋଟିଏ ପରିବାରର ୩ଟି ବଡ଼ ଦୁଗ୍ଧ ପ୍ରଦାନକାରୀ ପଶୁ ବା ୩୦ଟି ଛୋଟ ଦୁଗ୍ଧ ପ୍ରଦାନକାରୀ ପଶୁ କିମ୍ବା ୩ଟି ବୃହତ ଭାରବାହୀ ପଶୁ ବା ୬ଟି ଛୋଟ ଭାରବାହୀ ପଶୁଙ୍କ ପର୍ଯ୍ୟନ୍ତ ସିମିତ ରହିବ ।

21- ହସ୍ତଶିଳ୍ପ, ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ବା ପ୍ରତିସ୍ଥାପନ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା

22- ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ସର୍ବସାଧାରଣ ସମ୍ପତ୍ତି ଯଥା- ରାସ୍ତାଘାଟ, ପୋଲ, ବିଦ୍ୟାଳୟ, ପ୍ରାଥମିକ/ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, 11 KV LT Line, ପାନୀୟଜଳ ଯୋଗାଣ ବ୍ୟବସ୍ଥା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମହିଳା ମଣ୍ଡଳ, ଯୁବ କେନ୍ଦ୍ର, ପଞ୍ଚାୟତ ଘର ଓ ଅଙ୍ଗନବାଡି ଗୃହ ଆଦିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ସଂପୃକ୍ତ ବିଭାଗମାନଙ୍କଠାରୁ ସବିଶେଷ କ୍ଷୟକ୍ଷତିର ତଥ୍ୟ ହସ୍ତଗତ ହେଲାପରେ ଆର୍ଥିକ ସହାୟତା ଉକ୍ତ ବିଭାଗମାନଙ୍କୁ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ ବନ୍ୟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିପନ୍ନଙ୍କ ତ୍ୱରିତ ଉଦ୍ଧାର କାର୍ଯ୍ୟ ନିମନ୍ତେ ୮ ଟି ଅଗ୍ନିଶମ ବାହିନୀ, ୩ ଟି ODRAF ଟିମ୍ ଓ ଗୋଟିଏ NDRF ଟିମ୍ ନିୟୋଜିତ କରାଯାଇଥିଲା । ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଲୋକମାନଙ୍କୁ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଭାବିତ ଲୋକଙ୍କୁ ଜଳ ଜନିତ ରୋଗରୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ସେବା ଟିମ୍ ଗଠନ କରାଯାଇଥିଲା ।