ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା: ୩୬ ନକ୍ସଲ ନିହତ, ବିପୁଳ ମାରଣାସ୍ତ୍ର ଜବତ

ରାୟପୁର : ଛତିଶଗଡ଼ ଦାନ୍ତେୱାଡ଼ା ଜିଲାରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ଯୋଗୁ ପ୍ରାୟ ୩୬ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଦାନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲା ସୀମାରେଖାରେ ଏହି ଏନ୍‌କାଉଣ୍ଟର ସଂଘଠିତ ହୋଇଛି। ଏହି ଅଞ୍ଚଳରେ କିଛି ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍ କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍ କରାଯିବା ସମୟରେ ଲୁଚି ରହିଥିବା ନକ୍ସଲମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ। ଜବାବରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ରିପୋର୍ଟ ଲେଖାହେବା ସୁଦ୍ଧା ୩୬ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା କୁହାଯାଇଛି। ମାଓବାଦ ବିରୋଧୀ ଅଭିଯାନ ଦିଗରେ ଆଜିର ଏହି ଘଟଣା ସର୍ବବୃହତ୍ ଘଟଣା ଭାବେ ବିବେଚନା କରାଯାଉଛି। ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଏବଂ ସ୍ପେଶାଲ ଟାସ୍କ ଫୋସ୍‌ର୍ (ଏସ୍‌ଟିଏଫ୍‌) ପକ୍ଷରୁ ଦିନକ ପୂର୍ବେ ଅର୍ଥାତ୍ ଗୁରୁବାର ଠାରୁ ଏହି ଅଞ୍ଚଳରେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। କିନ୍ତୁ ଶୁକ୍ରବାର ମଧ୍ୟାହ୍ନ ୧୨,୩୦ ବେଳକୁ ନକ୍ସଲଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଥିଲା। ଏନ୍‌କାଉଣ୍ଟର ସ୍ଥଳରୁ ବର୍ତ୍ତମାନ ସୁଦ୍ଧା ସୁରକ୍ଷା କର୍ମୀଙ୍କୁ ୩୬ ନକ୍ସଲଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯେପରିକି ଏକେ ସିରିଜ୍‌ର ବନ୍ଧୁକ ଏବଂ ଅନ୍ୟାନ୍ୟ ଗୋଳାବାରୁଦ ଆଦି ମିଳିଛି। ଅର୍କା ଏବଂ ବାରସୁର ପୁଲିସ୍ ଷ୍ଟେସନ୍ ଅଧୀନରେ ଆସୁଥିବା ଗୋଭେଲ୍‌, ନେନ୍ଦୁର ଏବଂ ଥୁଲଥୁଲି ଆଦି ଗ୍ରାମାଞ୍ଚଳରେ ବହୁପରିମାଣର ନକ୍ସଲ ଲୁଚି ରହିଥିବା ନେଇ ସୂଚନା ମିଳିଥିବା ବେଳେ ଏସବୁ ଅଞ୍ଚଳରେ ସୁରକ୍ଷା କର୍ମୀମାନେ ବ୍ୟାପକ ତଲାସୀ କରିଥିଲେ। ନେନ୍ଦୁର ଏବଂ ଥୁଲଥୁଲି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଏହି ନକ୍ସଲମାନେ ଡେରା ପକାଇଥିବା ବେଳେ ଏହି ଅଞ୍ଚଳକୁ ସୁରକ୍ଷା କର୍ମୀମାନେ କର୍ଡନ କରିନେଇଥିଲେ। ଆଜିର ଏହି ବଡ଼ ତଥା ସଫଳ ମାଓ ବିରୋଧୀ ଅଭିଯାନ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସୁରକ୍ଷା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରକାଶ, କିଛି ଦିନ ପୂର୍ବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଥିଲେ ମାର୍ଚ୍ଚ ୨୦୨୬ ଶେଷ ସୁଦ୍ଧା ଦେଶରୁୂ ନକ୍ସଲବାଦ୍ ଭଳି ଏକ ରୋଗକୁ ସମୂଳେ ନିପାତ କରିଦିଆଯିବ। ଛତିଶଗଡରୁ ନକ୍ସଲବାଦ ଏବଂ ନକ୍ସଲଙ୍କୁ ଶେଷ କରିଦିଆଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଥିଲେ।