ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ବାଘ ନଖ

ନୂଆଦିଲ୍ଲୀ: ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ବାଘ ନଖ । ଆଗାମୀ ଦିନରେ ଏହା ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟରେ ସ୍ଥାନ ପାଇବ। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଶେଷ ହୋଇଥିବା ବେଳେ ଏବେ ଏହାକୁ ଫେରାଇ ଆଣିବାକୁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ଭାରତ । ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବ ପାଳନ ଅବସରରେ ଏହି ଅସ୍ତ୍ର ବ୍ରିଟେନରୁ ଫେରିବା ନେଇ ସୂଚନା ମିଳିଛି । ଗତକାଲି ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ଲଣ୍ଡନ ଗସ୍ତ କରିଛନ୍ତି । ଆସନ୍ତାକାଲି ବ୍ରଟେନ ସଂଗ୍ରହାଳୟ ସହ ଅସ୍ତ୍ରଶସ୍ତ୍ର ଫେରସ୍ତ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିବେ ମନ୍ତ୍ରୀ ।

ମହାରାଷ୍ଟ୍ର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିୱାରଙ୍କ ଉଦ୍ୟମରେ ଶିବାଜୀଙ୍କ ସମୟର ଏହି ବିଶେଷ ଅସ୍ତ୍ର ଫେରି ଆସିବ। ଏହାକୁ ଫେରାଇ ଆଣିବା ପାଇଁ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ, ବିଭାଗର ମୁଖ୍ୟ ସଚିବ, ନିର୍ଦ୍ଦେଶକ, ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟ ନିର୍ଦ୍ଦେଶାଳୟର ଏକ ପ୍ରତିନିଧୀ ଲଣ୍ଡନର ଭିକ୍ଟୋରିଆ ଏବଂ ଆଲବର୍ଟ ସଂଗ୍ରହାଳୟ ଏବଂ ଅନ୍ୟାନ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସେଠାରେ ଏକ ଚୁକ୍ତିନାମା ହୋଇଥିଲା । ଏନେଇ ମୁଙ୍ଗନ୍ତୀୱାର କହିଛନ୍ତି ଯେ, ନଭେମ୍ବରରେ ବ୍ରିଟେନରୁ ପ୍ରଥମ ପର୍ୟ୍ୟାୟରେ ହିଁ ଆମେ ବାଘ ନଖ ଫେରାଇ ଆଣିବୁ । ସେଥିପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଯେଉଁ ଦିନ ଛତ୍ରପତି ଶିବାଜୀ ମହାରାଜ ଅଫଜଲ ଖାନକୁ ହତ୍ୟା କରିଥିଲେ ସେହି ଦିନ ବାଘନଖ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି ।

୧୬୫୯ ମସିହାରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନଙ୍କୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ମହାରାଜ ବାଘ ନଖ ପରି ଏକ ଅସ୍ତ୍ର ବ୍ୟବହାର କରିଥିଲେ, ଯାହାକୁ ’ବାଘ ନଖ’ ବୋଲି କୁହାଯାଏ। ଶିବାଜୀଙ୍କ ଏହି ଅସ୍ତ୍ର ଇତିହାସର ଏକ ଅମୂଲ୍ୟ ଭଣ୍ଡାର ଏବଂ ମହାରାଷ୍ଟ୍ରବାସୀଙ୍କ ଭାବାବେଗ ସହ ଜଡ଼ିତ । ଇଂରେଜମାନେ ମହାରାଜଙ୍କ ଏହି ସ୍ମୃତି ବ୍ରିଟେନ ନେଇଯାଇଥିଲା । ଇଂଲଣ୍ଡର ଭିକ୍ଟୋରିଆ ଆଣ୍ଡ ଅଲବର୍ଟ ସଂଗ୍ରହାଳୟରେ ବର୍ତ୍ତମାନ ଏହି ବାଘ ନଖ ରହିଛି ।