ଓଡିଆ ଖେଳାଳୀ ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗସ

ଆଇପିଏଲରେ ନିଲାମ ହେଲେ ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତି I ଓଡ଼ିଶା କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଙ୍କୁ ୨୦ ଲକ୍ଷରେ କିଣିଛି ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ । ତାଙ୍କର ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ରହିଥିବା ବେଳେ ଏକମାତ୍ର ଟିମ ଭାବରେ ଚେନ୍ନାଇ ଶୁଭ୍ରାଶୁଂଙ୍କ ପାଇଁ ବିଡ୍ କରିଥିଲା । ଫଳରେ ନିଜର ବେସ ପ୍ରାଇସରେ ବିକ୍ରି ହୋଇଥିଲେ ଶୁଭ୍ରାଶୁଂ I ଓଡିଶାର ତୃତୀୟ ଖେଳାଳୀ ଭାବେ ଆଇପିଏଲ ଖେଳିବେ ଶୁଭ୍ରାଂଶୁ ।ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ।

୨୫ ବର୍ଷୀୟ ଶୁଭ୍ରାଂଶୁ ଙ୍କ ଘର ଓଡିଶାର କେନ୍ଦୁଝର ଜିଲ୍ଲାରେ । ରଣଜୀ ଖେଳିବା ସହ ପ୍ରଥମଶ୍ରେଣୀ କ୍ରିକେଟରେ ୩୪ଟି ମ୍ୟାଚ୍ ଖେଳି ୪୭.୮୩ ହାରରେ ୧୮୫୪ ରନ୍ କରିଛନ୍ତି। ସେ ଲିଷ୍ଟ-ଏ’ କ୍ରିକେଟରେ ୩୨ ମ୍ୟାଚରେ ୪୧.୧୬ ହାରରେ ୯୮୮ ରନ୍ କରିଛନ୍ତି। ଟି-୨୦ରେ ମଧ୍ୟ ଶୁଭ୍ରାଂଶୁଙ୍କୁ ପ୍ରଦର୍ଶନ ଭଲ ରହିଛି। ଶୁଭ୍ରାଂଶୁ ଘରୋଇ ଟି-୨୦ରେ ୨୬ ମ୍ୟାଚ୍ ଖେଳି ୨୮.୯୫ ହାରରେ ୬୩୭ ରନ୍ କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଚେନ୍ନାଇ ସୁପର୍ କିଙ୍ଗସ ଶୁଭ୍ରାଂଶୁଙ୍କୁ ଟ୍ରାଏଲ୍ ପାଇଁ ଡାକିଥିଲା।

ଡିସେମ୍ବର ୮ ତାରିଖରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଆନ୍ଧ୍ର ବିପକ୍ଷ ବିଜୟ ହଜାରେ ଟ୍ରଫିରେ ଶୁଭ୍ରାଂଶୁ ଆକର୍ଷଣୀୟ ଶତକ ମାରିଥିଲେ। ତାଙ୍କର ଏହି ଶତକୀୟ ଇନିଂସ ବଳରେ ଓଡ଼ିଶା ୫୦ ଓଭରରେ ୫ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା। ଏହି ମ୍ୟାଚରେ ଶୁଭ୍ରାଂଶୁ ୧୧୬ (୧୨୦ ବଲ୍, ୮ ଚୌକା, ୨ ଛକା) ରନ୍ କରିଥିଲେ। ଜବାବରେ ଆନ୍ଧ୍ର ୨୧୫ ରନରେ ଅଲଆଉଟ୍ ହୋଇଥିଲା। ଶୁଭ୍ରାଂଶୁଙ୍କ ଏହି ଇନିଂସ୍ ପାଇଁ ତାଙ୍କୁ ଚେନ୍ନାଇ ଟ୍ରାଏଲ୍ ପାଇଁ ଡକାଇ ଥାଇପାରେ। ଏପରିକି ଚେନ୍ନାଇ ସୁପର୍ କିଙ୍ଗସ୍ ଶୁଭ୍ରାଂଶୁଙ୍କୁ ନିଜ ଟିମରେ ସାମିଲ୍ କରିପାରେ ବୋଲି ଖବର ଆସିଥିଲା। ଆଉ ଆଜି ଚେନ୍ନାଇ ତାଙ୍କୁ ନିଜ ଟିମରେ ସାମିଲ୍ କରିଛି।