ଭିକାରୁଣୀଙ୍କ ବଦାନ୍ୟତା: ଜଗନ୍ନାଥ ମନ୍ଦିରକୁ ଦାନକଲେ ଏକ ଲକ୍ଷ

ଗୁମାଗଡ଼ : ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରିଛନ୍ତି ଜଣେ ଭିକ୍ଷୁକ ମହିଳା । ଦୀର୍ଘବର୍ଷ ଧରି ତାଙ୍କରି ଦୁଆରେ ବସି ଭିକ୍ଷା ମାଗୁଥିଲେ । ଆଜି ଜୀବନ ସାରାର ସଞ୍ଚିତ ପୁଞ୍ଜିକୁ ତାଙ୍କ ଚରଣରେ ସମର୍ପି ଦେଇଛନ୍ତି ତୁଳା ବେହେରା । ତାଙ୍କର ଘର ଓ ପରିଚୟ ମନେନାହିଁ । ବୟସ ୭୦ଟପିଲାଣି । କାହିଁ କେଉଁ ଦିନରୁ ଫୁଲବାଣୀ ଜଗନ୍ନାଥ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରି ଚଳୁଛନ୍ତି ତୁଳା । ଦୀର୍ଘବର୍ଷ ତଳେ ଦୁବଗଡ଼ ଗ୍ରାମର ପ୍ରଫୁଲ ବେହେରାଙ୍କୁ ବିବାହ କରିଥିଲେ । ଅନେକ ବର୍ଷ ତଳୁ ସ୍ୱାମୀଙ୍କ ପରଲୋକ ହୋଇସାରିଛି । ସଂସାରରେ ନିଜର ବୋଲି ଆଉ କେହିନାହିଁ । ମନ୍ଦିର ସାମ୍ନାରେ ହିଁ କୁଡ଼ିଆଟିଏ କରି ରହୁଛନ୍ତି । ଆଜି ସେ ବଦାନ୍ୟତାର ଏକ ଅନନ୍ୟ ନିଦର୍ଶନ ଦେଖାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ନିଜ ଜୀବନର ସଞ୍ଚିତ ପୁଞ୍ଜିକୁ ମନ୍ଦିର କମିଟିକୁ ଦାନ କରିଛନ୍ତି । କେବଳ ସେତିକି ନୁହେଁ, ଜୀବନ ଥିବା ପର୍ଯ୍ୟନ୍ତ ଭିକ୍ଷା ମାଗି ଯାହା ଆଦାୟ ହେବ ତାହା ମଧ୍ୟ ମନ୍ଦିରକୁ ଦାନ କରିବେ ବୋଲି ପ୍ରକାଶ କରିଛନ୍ତି ତୁଳା । କମିଟି ତରଫରୁ ସଭାପତି ସୁନାଶୀର ମହାପାତ୍ର, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଓ ଅନ୍ୟ ସଦସ୍ୟମାନେ ଏହି ଦାନ ଅର୍ଥକୁ ଗ୍ରହଣ କରିବା ସହ ତୁଳାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜଗନ୍ନାଥ ମନ୍ଦିର ପରିସରରେ ଥିବା ପୁରୁଣା ମନ୍ଦିରଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହି ଅର୍ଥରେ ତା’ର ପୁନରୁଦ୍ଧାର କରି ସେଠାରେ ସାଧୁ ସନ୍ଥମାନଙ୍କୁ ଆଶ୍ରୟ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତୁଳା । ତୁଳାଙ୍କ ଏହି ମହତ କାର୍ଯ୍ୟର ସ୍ୱୀକୃତି ସ୍ୱରୂପ ତାଙ୍କୁ ମନ୍ଦିର କମିଟିର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଏଥିସହ ମନ୍ଦିର କମିଟି ମୃତ୍ୟୁପର୍ଯ୍ୟନ୍ତ ତାଙ୍କର ସମସ୍ତ ଦାୟିତ୍ୱ ବହନ କରିବ ବୋଲି ସୂଚନା ଦେଇଛନ୍ତି ସଦସ୍ୟ ରଜତ କୁମାର ମହାନ୍ତି । କମିଟି ସଦସ୍ୟ ବିଜୟ ମହାନ୍ତି, ଚନ୍ଦ୍ର ଶେଖର ପରିଡ଼ା, ଶିବ ପ୍ରସାଦ ତ୍ରିପାଠୀ, ଅଜୟ ସିଂ, ସିଦ୍ଧେଶ୍ୱର ଦାଶ, ଶରତ ଚନ୍ଦ୍ର ସାହୁ, ଭାସ୍କର ଡାକୁଆ, ପ୍ରଦୀପ ମୁନୀ, ଗିରୀଶ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ସୁକାନ୍ତ ମହାରଣା ପ୍ରମୁଖ ସମ୍ବର୍ଦ୍ଧନାରେ ଉପସ୍ଥିତ ଥିଲେ ।