ଚର୍ଚ୍ଚାରେ ଫୁଲବାଣୀ କୁକୁଡା, ରହିଛି ବହୁ ରୋଗ ପ୍ରତିରୋଧ ଶକ୍ତି

ଭୁବନେଶ୍ବର: ଫୁଲବାଣୀର କୁକୁଡାକୁ ନେଇ ବର୍ତ୍ତମାନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେବାକୁ ଯାଉଛି। କାରଣ ଏହି ଭିନ୍ନ ପ୍ରଜାତୀର ଦେଶୀ କୁକୁଡାର ମାଂସ ଓ ଅଣ୍ଡାରେ ରହିଛି ଭରପୁର ରୋଗ ପ୍ରତିରୋଧ ଶକ୍ତି। ଏହାକୁ ପ୍ରମାଣିତ କରିବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ତରଫରୁ ଗବେଷଣା ଆରମ୍ଭ କରାଯାଇଛି। କୁକୁଡା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ନ୍ୟାସନଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ ରିସୋର୍ସକୁ ପ୍ରଦାନ କରାଯାଇଛି। ଫୁଲବାଣୀ କୁକୁଡା ଅନ୍ୟ କୁକୁଡାଠାରୁ ସଂପୂର୍ଣ୍ଣ ଭିନ୍ନ। କାରଣ ଏହି କୁକୁଡା 40ରୁ 50 ଫୁଟ ଉଚ୍ଚତାକୁ ଉଡିପାରନ୍ତି। କୌଣସି ଜନ୍ତୁ ଆକ୍ରମଣ କଲେ ସେମାନେ ଜୀବନ ରକ୍ଷା ପାଇଁ ଉପରକୁ ଉଡି ଚାଲିଯାଆନ୍ତି। ଏହି ଶକ୍ତି ସାଧାରଣ କୁକୁଡାଙ୍କ ନିକଟରେ ଦେଖାଯାଏ ନାହିଁ। ଅନ୍ୟ ଦେଶୀ କୁକୁଡା 10 ରୁ 20 ଫୁଟ ଉପରୁ ଉଡିପାରନ୍ତି। ସେହିପରି ଏହି କୁକୁଡାର ବିଶେଷତ୍ବ ହେଲା ଏମାନଙ୍କୁ ଛୋଟ ଛୋଟ ରୋଗ ହୁଏ ନାହିଁ। ଏମାନେ କୁକୁଡା ପ୍ରଜାତୀରେ ବେଶ ଶକ୍ତିଶାଳୀ ଓ ଦୁଃସାହାସୀ ବୋଲି ପ୍ରମାଣିତ ହୋଇଛି। ଏହି କୁକୁଡା ଦେଖିବାକୁ ଠିକ ଅନ୍ୟ ଦେଶୀ କୁକୁଡା ପରି। ହେଲେ ସେମାନଙ୍କଠାରୁ ଆକାରରେ ଟିକିଏ ବଡ ଏବଂ ହାଲକା।ଏହି ପ୍ରଜାତିର ବୟସ୍କ କୁକୁଡାର ଓଜନ ପ୍ରାୟ ଏକ କିଲୋରୁ ଦେଢ କିଲୋ ଭିତରେ ରହିଥାଏ। ଅନ୍ୟ ଦେଶୀ କୁକୁଡା ବର୍ଷକୁ 50 ରୁ 60 ଟି ଅଣ୍ଡା ଦେଉଥିବାର ବେଳେ ଏମାନେ ବର୍ଷକୁ 60 ରୁ 70 ଟି ଅଣ୍ଡା ଦେଇଥାନ୍ତି। ଅର୍ଥାତ ଏମାନଙ୍କର ଅଣ୍ଡା ଦେବା କ୍ଷମତା ଅଧିକ। ଏମାନେ ଫୁଲବାଣୀର ଆଭ୍ୟନ୍ତରୀଣ ଜଙ୍ଗଲରେ ବେଶୀ ଦେଖାଯାଆନ୍ତି। ବିଶେଷ କରି ଘୁ ଉଦୟଗିରି ଏବଂ ସୀମାବର୍ତ୍ତି ଅଞ୍ଚଳରେ ଏମାନେ ବହୁଳ ଭାବରେ ଦେଖା ଯାଇଥାନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷ ହେବ ବୋଲି ଅନୁମାନ କରାଯାଇଛି। ଏହି କୁକୁଡା ଏବଂ ଅଣ୍ଡା ବିକ୍ରି କରି ସ୍ଥାନୀୟ ଆଦିବାସୀମାନେ ଗୁଜୁରାଣ ମେଣ୍ଟାଇଥାନ୍ତି। ତେବେ ଓୟୁଏଟିର ଗବେଷଣା ପରେ ଏମାନଙ୍କ ପରିଚୟ ପୁରା ବଦଳିଯିବ ବୋଲି ଜଣାପଡିଛି।