ଭୋଟିଂ ସମୟରେ ‘ଜୟ ବଜରଙ୍ଗୱାଲି’ ସ୍ଲୋଗାନ ଦିଅ: ମୋଦୀ

ଆଙ୍କୋଲା : ଚଳିତମାସ ୧୦ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କ୍ଷମତାସୀନ ବିଜେପି ସମେତ ଏକାଧିକ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିପଡିଛନ୍ତି । ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରୋଧୀ ଦଳ ପ୍ରତି କଂଗ୍ରେସର ଆଭିମୁଖ୍ୟ ଗ୍ରହଣଯୋଗ୍ୟ ହେଉନଥିବାବେଳେ ଏହାର କଡା ଜବାବ ଦେବାକୁ ମୋଦୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ମତଦାନ ସମୟରେ ‘ଜୟ ବଜରଙ୍ଗୱାଲି’ ସ୍ଲୋଗାନ ଦେବାକୁ ମୋଦୀ ସବୁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ।

ଚଳିତ ନିର୍ବାଚନରେ ବିଜେପି ଏବଂ ମୋଦୀଙ୍କୁ ଭର୍ତ୍ସନା କରି କଂଗ୍ରେସ ଭୋଟଭିକ୍ଷା କରୁଛି । ସେମାନଙ୍କ ନିକଟରେ କୌଣସି ନିର୍ଦ୍ଦିଷ୍ଟ ଇସ୍ତାହାର ନଥିବାବେଳେ ମୁଖ୍ୟମନ୍ତ୍ରୀଭାବେ ମଧ୍ୟ କାହାରିକୁ ଉପସ୍ଥାପନ କରାଯାଇନାହିଁ । ମୋଦୀଙ୍କୁ ଗାଳି ଦେଇ ନିର୍ବାଚନରେ ବିଜୟୀ ହେବାକୁ କଂଗ୍ରେସ ଯେଉଁ ରଣନୀତି ପ୍ରସ୍ତୁତ କରୁଛି, ତାହା ବୁମେରାଂ ହେବ ବୋଲି ଉତ୍ତର କନ୍ନଡ ଜିଲ୍ଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ମୋଦୀ ଏହା କହିଛନ୍ତି । ଏଭଳି ଦଳର ପ୍ରାର୍ଥୀଙ୍କୁ କ’ଣ କର୍ଣ୍ଣାଟକବାସୀ ବରଦାସ୍ତ କରିବେ କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି । ତେଣୁ ଅପବାଦ ଚଳାଇଥିବା ଦଳକୁ ଉଚିତ ଜବାବ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି । ତେଣୁ ଇଭିଏମରେ ବଟନ ଚାପିବା ସମୟରେ ଆପଣମାନେ ‘ଜୟ ବଜରଙ୍ଗୱାଲି’ ସ୍ଲୋଗାନ ଦେବାକୁ ସେ ଭୋଟରଙ୍କୁ ନିବେଦନ କରିଛନ୍ତି । କର୍ଣ୍ଣାଟକକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ବିଜେପି ଲକ୍ଷ୍ୟ ରଖିଥିବାବେଳେ ଏଥିପାଇଁ ରୋଡ୍‌ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିସାରିଛି ।

କଗ୍ରେସ କିନ୍ତୁ ବିଜେପିର ଲୋକପ୍ରିୟତାକୁ ସହି ପାରୁନାହିଁ । ତେଣୁ ସେମାନେ ମୋଦୀ ଓ ବିଜେପିକୁ ଗାଳି ଦେବାକୁ କୁଣ୍ଠାବୋଧ କରୁନାହାନ୍ତି । କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଣିର ଗାର ବୋଲି ମୋଦୀ କହିଛନ୍ତି । ଦେଶକୁ ଏକାଧିକ ଦଶନ୍ଧି ଧରି ଶାସନ କରିଆସିଥିବା କଂଗ୍ରେସ ଦେଶର ବିକାଶ ଅପେକ୍ଷା ଦଳର ବିକାଶ ଓ ଫାଇଦା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିଥିବା ମୋଦୀ ଅଭିଯୋଗ କରିଛନ୍ତି । କର୍ଣ୍ଣାଟକରେ କ୍ଷମତାରେ ଥିବାବେଳେ କଂଗ୍ରେସ ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ଥିବାର ବଳିଷ୍ଠ ପ୍ରମାଣ ରହିଛି । ଜାଲ୍ ହିତାଧିକାରୀଙ୍କ ନାମରେ କୋଟି କୋଟି ଟଙ୍କା ବାଟମାରଣା କରାଯାଇଥିବା ସେ କହିଛନ୍ତି । ବିଜେପି କ୍ଷମତାକୁ ଆସିବାପରେ କଂଗ୍ରେସର ସବୁ ଚାଲ୍ ପଦାରେ ପଡିଯାଇଛି । ତେଣୁ ଲୋକଙ୍କ ଆଗରେ ଭାବମୂର୍ତ୍ତି ସଜାଡିବାକୁ ଶତ ଚେଷ୍ଟା କଲେ ସୁଦ୍ଧା କଂଗ୍ରେସ ଆଦୌ ସଫଳ ହେବ ନାହିଁ ବୋଲି ମୋଦୀ କହିଛନ୍ତି ।