ବଦଳିଲା CBSE ସିଲାବସ୍, ଜାଣନ୍ତୁ କ’ଣ ରହିଛି ପାଠ୍ୟକ୍ରମ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିଛି। ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ପାଠ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏହା ସହିତ ପାଠ୍ୟକ୍ରମରେ ପରିବର୍ତ୍ତିତ ପୁସ୍ତକ ଗୁଡ଼ିକୁ ୧୧୭ ବିଦ୍ୟାଳୟକୁ ପଠାଇ ଦିଆଯାଇଛି। ଏକାଦଶ ଶ୍ରେଣୀର ଇତିହାସ ପୁସ୍ତକରୁ ସେଣ୍ଟ୍ରାଲ୍ ଇସଲାମିକ୍ ଲ୍ୟାଣ୍ଡ୍ ଏବଂ ଦ୍ୱାଦଶ ପୁସ୍ତକରୁ ମୋଗଲ୍ ସାମ୍ରାଜ୍ୟ ଅଧ୍ୟାୟକୁ ହଟାଇ ଦିଆଯାଇଛି। ଏହି ଅଧ୍ୟାୟଗୁଡ଼ିକ ନୂତନ ଶିକ୍ଷାବର୍ଷରୁ ଶିକ୍ଷା ଦିଆଯିବ ନାହିଁ। ବୋର୍ଡର ନୂତନ ବ୍ୟବସ୍ଥା ସମଗ୍ର ଦେଶରେ ଏକକାଳୀନ କାର୍ଯ୍ୟକାରୀ ହୋଇଛି।

ସେହିପରି ଦଶମ ଶ୍ରେଣୀର ରାଜନୀତି ବିଜ୍ଞାନ ପୁସ୍ତକରୁ ଚତୁର୍ଥ ଅଧ୍ୟାୟରେ ଜାତି, ଧର୍ମ ଏବଂ ଲିଙ୍ଗ ପ୍ରସଙ୍ଗରେ ଏକ ଉଦାହରଣ ଭାବରେ ଦିଆଯାଇଥିବା ଫୈଜ ଅହମ୍ମଦ ଫୈଜଙ୍କ କବିତାକୁ ହଟାଇ ଦିଆଯାଇଛି। ବିଶ୍ୱ ଇତିହାସର ଏକାଦଶ ଶ୍ରେଣୀ ପୁସ୍ତକରୁ “ସେଣ୍ଟ୍ରାଲ୍ ଇସଲାମିକ୍ ଲ୍ୟାଣ୍ଡ” ଅଧ୍ୟାୟକୁ ବାଦ ଦିଆଯାଇଛି। ଏହି ଅଧ୍ୟାୟରେ ଛାତ୍ରମାନଙ୍କୁ ଇସଲାମର ବୃଦ୍ଧି ଏବଂ ବିକାଶ, ସପ୍ତମରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଇସଲାମର ବିସ୍ତାର ବିଷୟରେ ସୂଚନା ଦିଆଯାଇଥିଲା।

ସେହିଭଳି, ମୋଗଲ ସାମ୍ରାଜ୍ୟ ବିଷୟକୁ ଦ୍ୱାଦଶ ଶ୍ରେଣୀର ଭାରତୀୟ ଇତିହାସ ଭାଗ ଦ୍ୱିତୀୟର ନବମ ଅଧ୍ୟାୟରୁ ଅପସାରିତ କରାଯାଇଛି। ଏହି ଅଧ୍ୟାୟରେ ଛାତ୍ରମାନଙ୍କୁ ମୋଗଲମାନଙ୍କର ଇତିହାସ, ମୋଗଲ ପ୍ରତିଷ୍ଠା, ମୋଗଲ କୋର୍ଟ, ଆକବରନାମା, ବାବରନାମା ବିଷୟରେ ଶିକ୍ଷା ଦିଆଯାଇଥିଲା। ବୋର୍ଡର ଏହି ପରିବର୍ତ୍ତନ ନୂତନ ଶିକ୍ଷା ନୀତି ସହିତ ସଂଯୁକ୍ତ, ଯେଉଁଥିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଛି।