ପୁରୀ: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିପାରିଲେ ନାହିଁ ମହାପ୍ରଭୁ। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ନବମ ଦିବସରେ ଦେଖାଦେଇଥିଲା ବିଭ୍ରାଟ। ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିନଥିଲା । ଫଳରେ ବନ୍ଦ ରହିଥିଲା ମହାପ୍ରଭୁଙ୍କ ଚାପଖେଳ। ବିଳମ୍ବିତ ରାତି ଯାଏ ସମାଧାନର ପ୍ରୟାସ କରି ଜିଲ୍ଲାପାଳ ବିଫଳ ହୋଇଥିଲେ । ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନହେବାରୁ ଶ୍ରୀମନ୍ଦିର ଫେରି ଯାଇଥିଲେ ଚଳନ୍ତି ଠାକୁର। ଗତକାଲି କାଳବୈଶାଖୀ ଯୋଗୁଁ ଦିନ ଚାପ ମଧ୍ୟ ବନ୍ଦ ରହିଥିଲା। ତେବେ ରାତ୍ରୀ ଚାପ ପାଇଁ ରାତି ୯ ଟାରୁ ପ୍ରସ୍ତୁତି ସାରିଥିଲେ ହେଁ ରାତି ୧୨ଟା ୩୦ ଯାଏଁ ବିବାଦ ତୁଟି ନଥିଲା। ପରେ ପବନ ଓ ବର୍ଷାକୁ ନଜରରେ ରଖି ଚାପ ନଖେଳି ଶ୍ରୀମନ୍ଦିର ବାହୁଡ଼ା ବିଜେ କରିଥିଲେ ଦିଅଁ। ଭକ୍ତମାନେ ମଧ୍ୟ ନିରାଶ ହୋଇ ଫେରିଥିଲେ। ରେକର୍ଡ ଅଫ ରାଇଟ୍ରେ କେଉଁ ଡଙ୍ଗାରେ କେତେ ସେବକ ରହିବେ ସେ ସମ୍ପର୍କରେ ଉଲ୍ଲେଖ ଥିଲେ ହେଁ କେହି ଏହାକୁ ମାନି ନଥିଲେ । ତେବେ ନିଜ ଜିଦ୍ ଯୋଗୁଁ ମହାପ୍ରଭୁଙ୍କ ନୀତି ଅଟକାଇ ଦେଇଥିବାରୁ ଜିଲ୍ଲାପାଳ ଉଭୟ ଗୋଷ୍ଠୀଙ୍କୁ ନେଇ ଆଜି ବୈଠକ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସୋମବାର ନୀତି ବିଳମ୍ବ ଯୋଗୁଁ ବଡ଼ସିଂହାର ବେଶ ହେବା ବେଳକୁ ଭୋର୍ ୪ଟା ୩୦ ହୋଇ ସାରିଥିଲା। ତେଣୁ ପହୁଡ଼ ହୋଇ ପାରିନଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଶ୍ରଦ୍ଧାଳୁ।