ଆଜି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌: ଟାଇଟଲ୍ ଜିତିବା ଲକ୍ଷ୍ୟରେ ଭାରତ-ନ୍ୟୁଜିଲାଣ୍ଡ

ଦୁବାଇ, ନୂଆଦିଲ୍ଲୀ : ରବିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ-୨୦୨୫ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଦୀର୍ଘ ୨୫ ବର୍ଷ ପରେ ପୁଣିଥରେ ଭାରତ-ନ୍ୟୁଜିଲାଣ୍ଡ୍ ପରସ୍ପର ସହ ମୁହାଁମୁହିଁ ହେବେ। ଦୁବାଇ ଇଣ୍ଟର୍‌ନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍‌। ସାରା ବିଶ୍ୱର ଅଗଣିତ କ୍ରିକେଟ୍‌ପ୍ରେମୀ ଏହି ମ୍ୟାଚକୁ ଚାତକ ଭଳି ଚାହିଁ ରହିଛନ୍ତି। ତେବେ ୨୫ବର୍ଷ ପୂର୍ବେ ଅର୍ଥାତ୍ ୨୦୦୦ରେ ନାଇରୋବି ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍‌ରେ ଭାରତ-ନ୍ୟୁଜିଲାଣ୍ଡ ଶେଷଥର ପାଇଁ ପରସ୍ପରକୁ ଭେଟିଥିବା ବେଳେ ଏଥିରେ ନ୍ୟୁଜିଲାଣ୍ଡ୍‌, ଭାରତକୁ ୪ ୱିକେଟ୍‌ରେ ପରାସ୍ତ କରି ଟାଇଟଲ୍ ବିଜୟୀ ହୋଇଥିଲା। ନ୍ୟୁଜିଲାଣ୍ଡ ଏଥର ସେହି ଇତିହାସକୁ ଦୋହରାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାରତ ନୂଆ କୀର୍ତ୍ତିମାନ ବା ନୂଆ ଇତିହାସ ଲେଖିବା ପାଇଁ ସଜବାଜ ହେଉଛି। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶନିବାର ଭାରତୀୟ ଦଳ ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ଷ୍ଟାର୍ କ୍ରିକେଟ୍‌ର ବିରାଟ କୋହଲି ସାମାନ୍ୟ ଆହତ ହୋଇଛନ୍ତି। ସୁତରାଂ ସେ ରବିବାର ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଖେଳିବେ କି ନାହିଁ ସେନେଇ କିଛି ସଠିକ ସୂଚନା ମିଳିପାରୁନାହିଁ। କେତେକ ଗଣମାଧ୍ୟମ ରିପୋର୍ଟରେ ସେ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ପ୍ରଶଂସକଙ୍କ ଚିନ୍ତା ବଢିଯାଇଛି। ଦୁବାଇସ୍ଥିତ ଆଇସିସି ଏକାଡେମୀରେ ଦ୍ରୁତ ବୋଲିଂ ବିପକ୍ଷରେ ଅଭ୍ୟାସ କରୁଥିବା ବେଳେ ଏକ ବଲ୍ ବିରାଟ କୋହଲିଙ୍କ ଗୋଡ଼ରେ ବାଜିଥିଲା। ଏହା ପରେ ଯନ୍ତ୍ରଣା ହେବାରୁ ସେ କିଛି ସମୟ ପାଇଁ ଅଭ୍ୟାସ ବନ୍ଦ କରିଦେଇଥିଲେ। ତାଙ୍କର ଆଘାତ କେତେ ଗୁରୁତର ସେ ସମ୍ପର୍କରେ ଟିମ ପରିଚାଳନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଯଦି ଆଘାତ ଗୁରୁତର ହୋଇଥାଏ ସେ ଆସନ୍ତା କାଲି ନ ଖେଳିବାର ଆଶଙ୍କା ରହିଛି। ନ୍ୟୁଜିଲାଣ୍ଡ ଉପରେ ଭାରତର ପଲ୍ଲା ଭାରି ରହିଛି। ଗତ ୧୦ ବର୍ଷ ମଧ୍ୟରେ ଭାରତ-ନ୍ୟୁଜିଲାଣ୍ଡ ଉପରେ ଆହୁରି ପ୍ରଭାବଶାଳୀ ହୋଇଛି। ୨୦୧୬ ପର ଠାରୁ, ଉଭୟଙ୍କ ମଧ୍ୟରେ ୨୦ଟି ଦିନିକିଆ ଖେଳାଯାଇଛି ଯେଉଁଥିରୁ ଭାରତ ୧୭ଟିରେ ବିଜୟୀ ହୋଇଛି ଏବଂ ନ୍ୟୁଜିଲାଣ୍ଡ ମାତ୍ର ୩ଟି ଜିତିଛି। ସେହିପରି ଯଦି କେବଳ ଦିନିକିଆ ରିପୋର୍ଟ ଦେଖାଯାଏ ତେବେ ମଧ୍ୟ ଭାରତର ନ୍ୟୁଜିଲାଣ୍ଡ ବିପକ୍ଷରେ ସଫଳତା ହାର ୬୬% ରହିଛି। ଏସବୁ ସତ୍ତ୍ୱେ ନକ୍‌ଆଉଟ୍ ପର୍ଯ୍ୟାୟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ପ୍ରାୟ ୭୫% ମ୍ୟାଚ୍ ବିଜୟୀ ହୋଇଛି।