ଭୁବନେଶ୍ୱର, ୨୮ ।୨: କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) ସହଯୋଗରେ ଭାରତର କେନ୍ଦ୍ରାଞ୍ଚଳ କୁଳପତି ସମ୍ମିଳନୀ କିସ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଉଚ୍ଚତର ଶିକ୍ଷାର ଜଗତିକରଣ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ବହୁ ଚିନ୍ତାନାୟକ, ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକ ଯୋଗଦେଇ ଜଗତିକରଣ ଓ ଆନ୍ତର୍ଜାତିକରଣ ବିଷୟବସ୍ତୁ ଉପରେ ନିଜର ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇୟୁର ସଭାପତି ବିଜୟ କୁମାର ପାଠକ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ସମାନୁପାତିକ ଆନ୍ତର୍ଜାତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଆଇୟୁ ଏଥି ନିମନ୍ତେ ବିଭିନ୍ନ ଦେଶ ସହ ସହଭାଗିତା ଓ ଏକ ସନ୍ତୁଳିତ ଦୃଷ୍ଟିକୋଣକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିଆସୁଛି ବୋଲି ସେ କହିଥିଲେ । ଏଆଇୟୁର ମହାସଚିବ ପଙ୍କଜ ମିତ୍ତଲ ଭାରତୀୟ ଉଚ୍ଚଶିକ୍ଷାକୁ ନୂଆ ରୂପ ଦେବାରେ ଏଆଇୟୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ବୋଲି ସୂଚନା ଦେଇଥିଲେ । ୧୯ଟି ବିଦେଶୀ ଶିକ୍ଷାନୁଷ୍ଠାନ ସମେତ ୧୦୬୮ ବିଶ୍ୱବିଦ୍ୟାଳୟ ଏଆଇୟୁର ସଦସ୍ୟ ରହିଛନ୍ତି । ଏଆଇୟୁ ହେଉଛି ବିଶ୍ୱର ସର୍ବବୃହତ ବିଶ୍ୱବିଦ୍ୟାଳୟ ସଂଘ ବୋଲି ସେ କହିଥିଲେ । ଏହା ଉଚ୍ଚତର ଶିକ୍ଷା ପାଇଁ ଏକ ଥିଙ୍କ ଟ୍ୟାଙ୍କ ଭାବେ କାର୍ଯ୍ୟ କରୁଥିବା ବେଳେ ଉଚ୍ଚତର ଶିକ୍ଷାର ଆନ୍ତର୍ଜାତିକରଣ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଦିଗଦର୍ଶନ ପ୍ରଦାନ କରିଆସୁଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୟୁନେସ୍କୋ ଚେୟାର ଅନ୍ ଇନ୍କ୍ଲୁସିଭ ମିଉଜିୟମ ଆଣ୍ଡ ସଷ୍ଟେନେବଲ୍ ହେରିଟେଜ୍ ଡେଭେଲପମେଣ୍ଟର ପ୍ରଫେସର ଅମରେଶ୍ୱର ଗାଲା, ଇଲିନୋଇସ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ଉଇଲିୟମ୍ କୋପେ ଏବଂ ପ୍ରଫେସର ମ୍ୟାରୀ କାଲାଞ୍ଜିସ୍ ପ୍ରମୁଖ ଯୋଗଦେଇ ବିଶ୍ୱ ଶ୍ରେଣୀଗୃହ ଓ ଅନ୍ତର୍ଜାତୀୟ ଶୈକ୍ଷିକ ବିନିମୟ ଉପରେ ସେମାନଙ୍କ ମତାମତ ରଖିଥିଲେ। ଏହି ସମ୍ମିଳନୀରେ ଏଆଇୟୁର ମିଟିଂ ଡିଭିଜନ ମୁଖ୍ୟ ବିଜେନ୍ଦ୍ର କୁମାର, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ଆଦି ରାଜ୍ୟର ବିଶ୍ୱବିଦ୍ୟାଳୟ କୁଳପତି, ଏଆଇସିଟି, ନାକ୍, ଏନ୍ଡିଏସ୍ସି, ଆଇସିଏଆର୍ର ପ୍ରତିନିଧିମାନେ ଯୋଗଦେଇଥିଲେ । ସମ୍ମିଳନୀର ସୁପାରିଶଗୁଡ଼ିକୁ କୁଳପତିଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ନିମନ୍ତେ ଉପସ୍ଥାପନ କରାଯିବ। କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ଶରଣଜିତ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।