ରୂପା ଆମଦାନୀ ଉପରେ କେନ୍ଦ୍ର ସରକାରଙ୍କ କଟକଣା

ନୂଆଦିଲ୍ଲୀ: ମୂଲ୍ୟବାନ ଧାତୁ ଆମଦାନୀକୁ ନିୟନ୍ତ୍ରଣ କରିବା ସହ ଦେଶର ବାହ୍ୟ ଅର୍ଥନୈତିକ କ୍ଷେତ୍ର ଉପରେ ପଡ଼ୁଥିବା ଚାପକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଶନିବାର ରୂପା ଆମଦାନୀ ଉପରେ କଟକଣା ଲାଗୁ କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ରୂପା ସହିତ ରୂପା ମିଶ୍ରିତ ସୁନା ଏବଂ ପ୍ଲାଟିନମ୍‌ର ଆମଦାନୀ ନୀତିକୁ ‘ମୁକ୍ତ’ ପରିବର୍ତ୍ତେ ‘ପ୍ରତିବନ୍ଧିତ’ ବର୍ଗରେ ସାମିଲ କରାଯାଇଛି। ଫଳରେ ଏହି ସାମଗ୍ରୀଗୁଡ଼ିକର ଆମଦାନୀ ପାଇଁ ଏବେ ସରକାରୀ ଲାଇସେନ୍ସ ବାଧ୍ୟତାମୂଳକ ହେବ। ସଂପ୍ରତି କେନ୍ଦ୍ର ସରକାର ମୂଲ୍ୟବାନ ଧାତୁର ଆମଦାନୀ ଉପରେ ତୀକ୍ଷଣ ନଜର ରଖିବା ସହ ଏହାର ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଅନୁରୂପ ଭାବେ, ଶୁକ୍ରବାର ସରକାର ଆଗୁଆ ପ୍ରାଧିକରଣ ଯୋଜନା  ଅଧୀନରେ ସୁନା ଆମଦାନୀର ସର୍ବାଧିକ ସୀମାକୁ ୧୦୦ କିଲୋଗ୍ରାମ ମଧ୍ୟରେ ସୀମିତ କରିଛନ୍ତି। ଡିଜିଏଫ୍‌ଟି ରତ୍ନ ଓ ଅଳଙ୍କାର କ୍ଷେତ୍ରର ଆମଦାନୀକାରୀଙ୍କ ପାଇଁ ନିୟମକୁ ଅଧିକ କଠୋର କରିଛି। ବିଜ୍ଞପ୍ତି ଅନୁସାରେ, ସୁନା ଆମଦାନୀ ପାଇଁ ଜାରି କରାଯିବାକୁ ଥିବା ଆଗୁଆ ପ୍ରାଧିକରଣର ସର୍ବାଧିକ ଅନୁମୋଦିତ ପରିମାଣ ୧୦୦ କିଲୋଗ୍ରାମ ରହିବ। ଏଥିସହିତ ପ୍ରଥମ ଥର ଆବେଦନ କରୁଥିବା ବ୍ୟକ୍ତି ବା ସଂସ୍ଥା ପାଇଁ ମଧ୍ୟ ମାନଦଣ୍ଡକୁ କଡ଼ାକଡ଼ି କରାଯାଇଛି। ସେମାନଙ୍କର ଉତ୍ପାଦନ ସୁବିଧାର ଅସ୍ତିତ୍ୱ, କ୍ଷମତା ଏବଂ କାର୍ଯ୍ୟକ୍ଷମ ସ୍ଥିତି ଯାଞ୍ଚ କରିବା ପାଇଁ ସମ୍ପୃକ୍ତ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ଦ୍ୱାରା କାରଖାନା ବା ଉତ୍ପାଦନ କେନ୍ଦ୍ରର ବାଧ୍ୟତାମୂଳକ ଭୌତିକ ଯାଞ୍ଚ  କରାଯିବ। ସରକାର ଭବିଷ୍ୟତର ସୁନା ଆମଦାନୀ ଅନୁମୋଦନକୁ ରପ୍ତାନି କାର୍ଯ୍ୟଦକ୍ଷତା  ସହିତ ଯୋଡ଼ିଛନ୍ତି। ପରବର୍ତ୍ତୀ ସମୟରେ ସୁନା ଆମଦାନୀ ପାଇଁ ଆଗୁଆ ପ୍ରାଧିକରଣ ସେତେବେଳେ ମିଳିବ, ଯେତେବେଳେ ଆବେଦନକାରୀ ପୂର୍ବରୁ ନିର୍ଦ୍ଧାରିତ ରପ୍ତାନି ଦାୟିତ୍ୱର ଅତିକମରେ ୫୦ ପ୍ରତିଶତ ପୂରଣ କରିଥିବେ।