ବିଜ୍ଞାପନରେ ସେଲିବ୍ରିଟି ଦମ୍ପତି

ବଲିଉଡ୍ ସେଲିବ୍ରିଟିମାନେ ବିଜ୍ଞାପନରେ ନଜର ଆସିବା କିଛି ନୂଆ କଥା ନୁହେଁ । ତେବେ ଏବେ ବିଜ୍ଞାପନରେ ବାସ୍ତବ ଜୀବନର ସେଲିବ୍ରିଟି ଯୋଡ଼ିଙ୍କୁ ଲୋକେ ବେଶି ଦେଖିବାକୁ ପସନ୍ଦ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଜ୍ଞାପନ କମ୍ପାନି ସେଲିବ୍ରିଟି ଯୋଡ଼ିଙ୍କୁ ଅଗ୍ରାଧିକାର ଦେଉଛନ୍ତି । ଖୁବ୍‌ଶୀଘ୍ର ଏକ ବିଜ୍ଞାପନରେ ନଜର ଆସିବେ ବଲିଉଡର ଲୋକପ୍ରିୟ ସେଲିବ୍ରିଟି ଦମ୍ପତି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ । କେବଳ ଏ ଦୁହେଁ ନୁହନ୍ତି, ଅନେକ ଆଗଧାଡିର ତାରକା ଯୋଡ଼ି ଅଛନ୍ତି, ଯେଉଁମାନେ ଏକାଠି ବିଭିନ୍ନ ବିଜ୍ଞାପନରେ ନଜର ଆସିଛନ୍ତି ଏବଂ ସେମାନଙ୍କୁ ମିଳିଛି ଦର୍ଶକୀୟ ଆଦୃତି ।
ଐଶ୍ୱର୍ଯ୍ୟା-ଅଭିଷେକ: ଏମାନଙ୍କ ଯୋଡ଼ି ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଛି । ଫିଲ୍ମ ବ୍ୟତୀତ ଦୁହିଁଙ୍କୁ ବିଜ୍ଞାପନରେ ଏକାଠି ଦେଖିବାକୁ ମିଳିଛି । ସେମାନେ ପ୍ରେସଟିଜ୍ ବିଜ୍ଞାପନରେ ନଜର ଆସିଛନ୍ତି । ଏମାନଙ୍କ ଏହି ବିଜ୍ଞାପନକୁ ମଧ୍ୟ ଲୋକେ ବେଶ୍ ପସନ୍ଦ କରିଥିଲେ ।
ଦୀପିକା-ରଣବୀର: ବି-ଟାଉନ୍‌ର ଅନ୍ୟତମ ଲୋକପ୍ରିୟ ଯୋଡ଼ି ହେଲେ ଦୀପିକା ପାଦୁକୋନ ଓ ରଣବୀର ସିଂହ । ବିବାହ ପରେ ସିନେମା ‘୮୩’ରେ ଏକାଠି ନଜର ଆସିଛନ୍ତି । ତେବେ ଏବେ ଜିୟୋ ବିଜ୍ଞାପନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି ।

ବିରାଟ-ଅନୁଷ୍କା: ଏମାନଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରନ୍ତି । ସେଥିପାଇଁ ଏ ଦୁହେଁ ମଧ୍ୟ ବିଜ୍ଞାପନରେ ଏକାଠି ନଜର ଆସିଛନ୍ତି । ‘ମାନ୍ୟବର’ ବ୍ରାଣ୍ଡର ବିଜ୍ଞାପନରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏକାଠି ନଜର ଆସିଛନ୍ତି । ଏପରିକି କ୍ଲିନିକ୍ ଅଲ୍ କ୍ଲିୟର୍ ସାମ୍ପୁରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।
ଗୌରୀ-ଶାହରୁଖ୍‌: ଅନ୍ୟତମ ଲୋକପ୍ରିୟ ସେଲିବ୍ରିଟି ଦମ୍ପତି ଶାହରୁଖ୍ ଖାନ୍ ଓ ଗୌରୀ ଖାନ୍‌ଙ୍କୁ ଡି-ଡେକୋର ବିଜ୍ଞାପନରେ ଦେଖିବାକୁ ମିଳିଛି । ଏହି ବିଜ୍ଞାପନକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ।

କରୀନା-ସୈଫ୍‌: ଅଧିକାଂଶ ବିଜ୍ଞାପନରେ ଏକାଠି ନଜର ଆସିଛନ୍ତି କରୀନା କପୁର ଓ ସୈଫ୍ ଅଲୀ ଖାନ୍ । ଏଲ୍‌ଜି, ମାଲାବାର, ଲକ୍ସ, ଟାଟା ସ୍କାଏ ଆଦି ବିଜ୍ଞାପନରେ ନଜର ଆସି ଲୋକଙ୍କ ମନ ଜିଣିଛନ୍ତି କରୀନା ଓ ସୈଫ୍ ।
ଅମିତାଭ-ଜୟା: ବି-ଟାଉନର ଏହି ଲୋକପ୍ରିୟ ଯୋଡ଼ି କଲ୍ୟାଣ ବିଜ୍ଞାପନରେ ନଜର ଆସିଛନ୍ତି । ତା’ସହ ତନିଷ୍କ ବିଜ୍ଞାପନରେ ବି ଦୁହିଁଙ୍କୁ ଦେଖିବାକୁ ମିଳଛି । ଏମାନଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ କରିଥିଲେ ।
ଅଜୟ-କାଜୋଲ: ଏ ଦୁହେଁ ମଧ୍ୟ ଏକାଧିକ ବିଜ୍ଞାପନରେ ଏକାଠି କାମ କରିଛନ୍ତି । ଟାଟା ଇଣ୍ଡିକମ, ହୋଲପୁଲ ଏବଂ ଲାଇଫ୍‌ବଏ ବିଜ୍ଞାପନରେ ଅଜୟ ଓ କାଜୋଲଙ୍କୁ ଦେଖିବାକୁ ମିଳିଛି ।