କାଉଡ଼ିଆ ଯାତ୍ରା ପାଇଁ ସୁରକ୍ଷା ଦେବ ସିସିଟିଭି ବ୍ୟବସ୍ଥା

ନୂଆଦିଲ୍ଲୀ: ଶ୍ରାବଣ ମାସରେ ଆରମ୍ଭ ହେବ କାଉଡ଼ିଆ ଯାତ୍ରା । ଉତ୍ତର ପ୍ରଦେଶରେ କାଉଡ଼ିଆ ଯାତ୍ରାକୁ ସୁରକ୍ଷିତ, ସୁଗମ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ପାଇଁ ସରକାର ଏବଂ ପୁଲିସ-ପ୍ରଶାସନ ନିଜର ପ୍ରସ୍ତୁତି ଶେଷ କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକ ରାଜୀବ କୃଷ୍ଣା ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ପରିଚାଳନା ପାଇଁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲକ୍ଷ ଲକ୍ଷ ଶିବ ଭକ୍ତଙ୍କର ଏହି ପବିତ୍ର ଯାତ୍ରାରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି । କାଉଡ଼ିଆ ଯାତ୍ରା ପାଇଁ ଉତ୍ତର ପ୍ରଦେଶ ପୁଲିସ ସୁରକ୍ଷ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛି। କାଉଡ଼ିଆ ଭକ୍ତମାନେ ଯାତ୍ରା କରୁଥିବା ମାର୍ଗ ପୂରା ସିସିଟିଭି ନଜରରେ ରହିବ । ୨୯ ହଜାର ସିସିଟିଭି କ୍ୟାମେରା ଲାଗିବାର ବ୍ୟବସ୍ଥା ହେଉଛି । ୩୯୫ ଡ୍ରୋନ୍ ଉଡିବ, ୧୮୪୫ ଜଳ ସେବା କେନ୍ଦ୍ର, ୮୨୯ ଚିକିତ୍ସା ଶିବିର ଏବଂ ୧୨୨୨ ପୁଲିସ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି । ସବୁ କାଉଡ଼ିଆ ଶିବିରରେ ସୁରକ୍ଷା ପାଇଁ ବ୍ୟବସ୍ଥା ଏବଂ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପୁଲିସ ଅଧିକାରୀ ଏବଂ ଥାନା ପ୍ରଭାରୀଙ୍କ ସମ୍ପର୍କ ନମ୍ବର, ଟ୍ରାଫିକ ଡାଇଭର୍ସନ ସ୍କିମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ବାରକୋଡ୍ ମାଧ୍ୟମରେ ଖବରକାଗଜ, ହୋର୍ଡିଂ ଏବଂ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଳୁଙ୍କ ପାଖରେ ପହଞ୍ଚାଯିବ ।