ବଦଳିଲା ସିବିଏସଇ ସିଲାବସ : ଇସଲାମିକ୍ ସାମ୍ରାଜ୍ୟ ଉତ୍ଥାନ, ମୋଗଲ ଦରବାର ଓ ଶୀତଳ ଯୁଦ୍ଧ ପଢିବେନି ଛାତ୍ରଛାତ୍ରୀ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଇତିହାସ ଓ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଅନେକ ଅଧ୍ୟାୟକୁ ହଟାଇ ଦେଇଛି । ଆଫ୍ରିକା-ଏସିଆ ଅଞ୍ଚଳରେ ଇସ୍‌ଲାମିକ୍‌ ସାମ୍ରାଜ୍ୟର ଉତ୍‌ଥାନ, ମୋଗଲ ଦରବାର, ଶୀତଳ ଯୁଦ୍ଧ, ଶିଳ୍ପ ବିପ୍ଳବ ଭଳି ବିଷୟକୁ ବାଦ୍‌ ଦିଆଯାଇଛି ।

ସେହିଭଳି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଓ କୃଷି ଉପରେ ଜଗତୀକରଣର ପ୍ରଭାବ ବିଷୟ ହଟାଯାଇଛି । ଏହି ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଫୈଜ ଅହମ୍ମଦ ଫୈଜଙ୍କ ଦ୍ୱାରା ଲିଖିତ ଦୁଇଟି ଉର୍ଦ୍ଦୁ କବିତାର ଅନୁବାଦିତ ଅଂଶକୁ ମଧ୍ୟ ବାହାର କରିଦିଆଯାଇଛି । ପାଠ୍ୟକ୍ରମରୁ ‘ଗଣତନ୍ତ୍ର ଓ ବିବିଧତା’ ସଂକ୍ରାନ୍ତ ଅଧ୍ୟାୟକୁ ହଟାଇ ଦେଇଛି ସିବିଏସ୍‌ଇ । ଏ ବାବଦରେ ଅଧିକାରୀମାନେ କହିଛନ୍ତି ଯେ ଏନ୍‌ସିଇଆର୍‌ଟିର ସୁପାରିସକ୍ରମେ ଏଭଳି ପଦକ୍ଷେପ ନିଆଯାଇଛି ।

ଉଲ୍ଲେଖଯୋଗ୍ୟ, ସିବିଏସ୍‌ଇ ପ୍ରତିବର୍ଷ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିଥାଏ, ଯେଉଁଥିରେ ଶିକ୍ଷା ସମ୍ବନ୍ଧୀୟ ମ୍ୟାଟେରିଆଲ, ଶିକ୍ଷଣ ପ୍ରଣାଳୀ ସହିତ ପରୀକ୍ଷା ପାଠ୍ୟକ୍ରମ, ଏକାଡେମିକ୍‌ ତାଲିମ ଏବଂ ମୂଲ୍ୟାୟନର ମାର୍ଗଦର୍ଶିକା ସାମିଲ ରହିଥାଏ ।