ଭୁବନେଶ୍ୱର: ଭଦ୍ରକ ଆୟକର ବିଭାଗ କାର୍ଯ୍ୟାଳୟର ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛି CBI। ଗିରଫ ହୋଇଥିବା ଅଧିକାରୀ ହେଲେ ରମେଶ କୁମାର ମହାନ୍ତି। ଜଣେ ସାଧାରଣ ନାଗରିକଙ୍କ କାମ କରାଇଦେବା ନାଁରେ ସେ ଲାଞ୍ଚ ଦାବି କରିଥିବା ଅଭିଯୋଗ ପରେ CBI ଚଢ଼ାଉ କରିଥିଲା। ସୂଚନା ମୁତାବକ, ଅଭିଯୋଗକାରୀଙ୍କ ନାମରେ ଏକ ଡୁପ୍ଲିକେଟ୍ PAN କାର୍ଡ ପଞ୍ଜିକୃତ ହୋଇଥିବାରୁ ସେ ଏହାକୁ ବାତିଲ କରିବା ପାଇଁ ଆୟକର ବିଭାଗ ସହ ଯୋଗାଯୋଗ କରିଥିଲେ। ମାତ୍ର ସରକାରୀ ପ୍ରକ୍ରିୟା ଆଗକୁ ବଢ଼ାଇବା ବଦଳରେ ଅଭିଯୁକ୍ତ ସୁପରିଣ୍ଟେଣ୍ଡେଣ୍ଟ ଏହି କାମ ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଦେବାକୁ ଅସ୍ୱୀକାର କରି ଅଭିଯୋଗକାରୀ ସିଧାସଳଖ CBIର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ CBI ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ଯାଞ୍ଚରେ ଅଭିଯୋଗର ସତ୍ୟତା ମିଳିବା ପରେ ଭୁବନେଶ୍ୱର CBI ଟିମ୍ ଏକ ସ୍ୱତନ୍ତ୍ର ଟ୍ରାପ୍ ଅପରେସନ୍ ଯୋଜନା କରିଥିଲା। ଯୋଜନା ଅନୁସାରେ ବୁଧବାର ଦିନ ରମେଶ କୁମାର ମହାନ୍ତି ଅଭିଯୋଗକାରୀଙ୍କ ଠାରୁ ୪ ହଜାର ଟଙ୍କା ଗ୍ରହଣ କରିବା ମାତ୍ରେ, ପୂର୍ବରୁ ଛକି ରହିଥିବା CBI ଅଧିକାରୀମାନେ ତାଙ୍କୁ ରେଡ୍ ହ୍ୟାଣ୍ଡ କାବୁ କରିଥିଲେ। ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। CBI ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।