ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲେନଙ୍କ ମୃତ୍ୟୁ ମାମଲାରେ ସୋମବାର ସିବିଆଇ ବିଧାୟକ ଆଦିତ୍ୟ ଠାକ୍ରେ, ଅଭିନେତା ଡିନୋ ମୋରିଆ, ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ନାମରେ ଏଫଆଇଆର ରୁଜୁ କରିଛି । ଏହି ମାମଲାର ତଦନ୍ତ କରିବାକୁ ଗତ ସପ୍ତାହରେ ବମ୍ବେ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ମୁତାବକ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏହି ୩ ସନ୍ଦିଗ୍ଧଙ୍କ ନାମରେ ମାମଲା ରୁଜୁ କରିଛି । ଏମାନଙ୍କ ନାମରେ ହତ୍ୟା, ଗଣଦୁଷ୍କର୍ମ,ଅପରାଧିକ ଷଡ଼ଯନ୍ତ୍ର, ତଥ୍ୟପ୍ରମାଣ ନଷ୍ଟ କରିବା ତଥା ମିଥ୍ୟା ତଥ୍ୟ ଦେବା ପରି ସଂଗୀନ ଦଫା ଲଗାଯାଇଛି । ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ଏଫଆଇଆରରେ ଦର୍ଶାଯାଇଛି, ‘ଅପରାଧକୁୁ ଲୁଚାଇବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯଥେଷ୍ଟ ପ୍ରୟାସ କରିଥିଲେ । ପୋଲିସଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ, ମାମଲାକୁ ଚପାଇ ଦେବାକୁ ଲାଗି ପଡିଥିଲେ । ଏପରି କି ପୋଷ୍ଟମର୍ଟମ କରିଥିବା ଡାକ୍ତରମାନେ ମଧ୍ୟ ଏଥିରେ ଅବହେଳା କରିଛନ୍ତି । ତେଣୁ ଆଦିତ୍ୟ ଠାକରେ, ଡିନୋ ମୋରିଆ, ରେହା ଚକ୍ରବର୍ତୀ, ସୂରଜ ପଂଚୋଲୀ ଏବଂ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନଙ୍କୁ ପୁନଶ୍ଚ ଜେରା କରାଯିବାର ଆବଶ୍ୟକତା ଅଛି ।’ ପୂର୍ବରୁ ସିବିଆଇ ମାମଲାର ସମସ୍ତଙ୍କ ଡକ୍ୟୁମେଂଟ ଦାଖଲ କରିବାକୁ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇ ସାରିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ମସିହା ଜୁନ୍ ୮ ତରିଖ ଦିନ ମୁମ୍ବାଇ ମାଲଦା ଅଂଚଳରେ ଥିବା ଏକ ବହୁତଳ ବିିଶିଷ୍ଟ ଆପାର୍ଟମେଂଟର ୧୪ ମହଲାରୁ ପଡି ଦିଶାଙ୍କ ମୃତ୍ୟୁ ଘଟିଥିଲା । ଏହା ଏକ ଦୁର୍ଘଟଣା ବୋଲି ଦର୍ଶାଇ ସ୍ଥାନୀୟ ପୁଲିସ ସେହି ଅନୁସାରେ ତଦନ୍ତ କରିଥିଲା । ତେବେ ଦିଶାଙ୍କ ପିତା ସତୀଶ ସାଲେନ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନ ଥିଲେ । ତାଙ୍କ ଝିଅକୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଥିଲେ । ଏଥିରେ ହାଇ ପ୍ରୋଫାଇଲ ଘରର ପିଲାମାନେ ସାମିଲ ଥିବାରୁ ମାମଲାକୁ ଚାପି ଦିଅଯାଇଥିବା ନେଇ ସେ ବମ୍ବେ ହାଇକୋର୍ଟରେ ଅଭିଯୋଗ ଦାଖଲ କରିଥିଲେ l