ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ବିପର୍ଯ୍ୟୟ’

ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟା ପ୍ରତି ୨ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ବିପର୍ଯ୍ୟୟ’ଏବେ ଗୋଆ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୮୯୦ କିଲୋମିଟର ଦୂରରେ ରହିଥିବା ବେଳେ ମୁମ୍ବାଇ ଠାରୁ ଦକ୍ଷିଣ-ପଶ୍ଚିମରେ ୧୦୦୦ କିଲୋମିଟର ଦୂରରେ ରହିଛି ।

ଏହା ପ୍ରଭାବରେ କେରଳ- କର୍ଣ୍ଣାଟକାର ଉପକୂଳ ଅଞ୍ଚଳ, ଲକ୍ଷଦୀପ ଓ ମାଲଦୀପ ଅଞ୍ଚଳ ତଥା କୋଙ୍କଣ-ଗୋଆ ଓ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଆସନ୍ତା କାଲିଠୁ ସମୁନ୍ଦ୍ର ଅଶାନ୍ତ ରହିବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ । ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି। ତେଣୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏଥିସହ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ସକାଳେ ଜାରି ବୁଲେଟିନ ଅନୁଯାୟୀ, ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ଘଣ୍ଟା ପ୍ରତି ୧୩୫-୧୪୫କିମି ଓ କିଛି ସ୍ଥାନରରେ ୧୬୦ କିମି ଉପରେ ବି ପବନ ପ୍ରବାହିତ ହୋଇପାରେ।

‘ବିପର୍ଯ୍ୟୟ’ ବାତ୍ୟାର ପ୍ରଭାବ ବହୁ ଦକ୍ଷିଣ ପଶ୍ଚିମ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିପାର। ଏଥିନିମନ୍ତେ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି।