ପୁରୀ : ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳତାର ସହିତ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି କରିଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ନିଯୋଗ ସହିତ ସମନ୍ବୟ ରକ୍ଷା କରି କାମ କରୁଛି। ଏଥର ରଥଯାତ୍ରାରେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ ସାମ୍ବାଦିକମାନଙ୍କୁ କହିଛନ୍ତି, ଘୋଷଯାତ୍ରା ବେଳେ ଅଣସେବାୟତମାନେ ରଥ ଉପରକୁ ଚଢ଼ି ପାରିବେ ନାହିଁ। କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରେ କୌଣସି ବ୍ୟକ୍ତି ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ରଥ ଉପରକୁ ସମସ୍ତଙ୍କୁ ମୋବାଇଲ୍ ବାରଣ କରାଯାଇଛି। ଏଣିକି କେବଳ ମୋବାଇଲ୍ ଜବତରେ କାର୍ଯ୍ୟାନୁଷ୍ଠାନ ଅଟକିବ ନାହିଁ। ବରଂ ଫୌଜଦାରୀ ମାମଲା ମଧ୍ୟ ରୁଜୁ ହେବ। ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ବଡ଼ ଅଟ୍ଟାଳିକା ଗଢ଼ି ଉଠୁଛି।ବଡ଼ବଡ଼ କୋଠା ନିର୍ମାଣ ଏକ ନିର୍ଦ୍ଦିଷ୍ଟ ଭାବେ ଢ଼ାଞ୍ଚା ସ୍ଥିର ହେବା ଦରକାର। ଏନେଇ ନଗର ଉନ୍ନୟନ ବିଭାଗକୁ ଅବଗତ କରିବୁ।