ନିଜ ଙ୍କ ୭ ନ ଜର୍ସି ର ରହସ୍ୟ କହିଲେ କ୍ୟାପଟେନ କୁଲ

ଚଳିତ ୨୬ ତାରିଖରୁ ଆରମ୍ଭ ହେଉଛି ଆଇପିଏଲ -୨୦୨୨ I ଆଇପିଏଲ ର ଉଦ୍ଘାଟନୀ ମ୍ୟାଚ ଖେଳିବେ ଚେନ୍ନାଇ ସୁପର କିଙ୍ଗସ ସହିତ କଲକାତା ନାଇଟ ରାଇଡ଼ର୍ସ I ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ସବୁବେଳେ ୭ନଂ ଜର୍ସି ପିନ୍ଧୁଥିବା ଆପଣ ଦେଖିଥିବେ। ଅନ୍ତର୍ଜାତୀୟ ମ୍ୟାଚ୍‌ ଠାରୁ ଆରମ୍ଭ କରି ଆଇପିଏଲ ମ୍ୟାଚ୍‌ରେ ଧୋନି ୭ନଂ ଜର୍ସିକୁ ବ୍ୟବହାର କରନ୍ତି। ସମସ୍ତେ କୁହନ୍ତି ଧୋନିଙ୍କ ପାଇଁ ନଂ୭ ଲକି ହୋଇଥିବାରୁ ସେ ଏହାର ବ୍ୟବହାର କରନ୍ତି। ହେଲେ ଧୋନି ଏବେ ୭ନଂ ଜର୍ସି ପିନ୍ଧିବା ପଛର ଅସଲ ସତ ସମ୍ପର୍କରେ ଖୁଲାସା କରିଛନ୍ତି। ୨୦୨୦ରେ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ହେଲେ ସେ ଆଇପିଏଲ ଖେଳିବା ଜାରି ରଖିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୬ରୁ ଆଇପିଏଲ ଆରମ୍ଭ ହେଉଛି। ଏହି ସମୟରେ ମଧ୍ୟ ମାହିଙ୍କ ମହକ ଦେଖିବାକୁ ମିଳିବ ବୋଲି କ୍ରିକେଟ ପ୍ରେମୀମାନେ ଅପେକ୍ଷା କରି ରହିଛନ୍ତି।

ଏସବୁ ଭିତରେ ସିଏସକେର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଧୋନିଙ୍କ ଗୋଟିଏ ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ସେ ଜର୍ସି ନଂ୭ ପଛରେ ଥିବା କାରଣ କହିଛନ୍ତି। ସେ କହିଛନ୍ତି, “ଅନେକ ଲୋକ ପ୍ରାଥମିକ ଅବସ୍ଥାରେ ଭାବୁଥିଲେ ଯେ ୭ ହେଉଛି ମୋର ଲକି ନମ୍ବର। ଏହା ପଛରେ ଆଉ କିଛି ବି କାରଣ ନାହିଁ। କିନ୍ତୁ ଏହି ନମ୍ବରକୁ ମୁଁ ଗୋଟିଏ ସାଧାରଣ କାରଣ ପାଇଁ ବାଛିଛି। ମୋର ଜନ୍ମ ତାରିଖ ହେଉଛି ୭ ଜୁଲାଇ। ଏହା ୭ ମାସର ୭ମ ଦିନ। ତେଣୁ ମୁଁ ୭ ନଂକୁ ବେଶ ପସନ୍ଦ କରିଥିଲି। ମୋ ପାଇଁ କେଉଁ ନମ୍ବର ଭଲ ଓ କେଉଁ ନମ୍ବର ଖରାପ ଭଳି ବିଷୟ ବସ୍ତୁରେ ମୁଁ ପଶିବାକୁ ଚାହୁଁ ନଥିଲି। ତେଣୁ ମୁଁ ମୋ ଜନ୍ମ ତାରିଖକୁ ବାଛିଥିଲି।

ଏହା ପଛରେ ଆଉ କୌଣସି କାରଣ ନାହିଁ। ଅନେକ ଲୋକ ମୋତେ କହିଥିଲେ ଯେ ୭ ହେଉଛି ଗୋଟିଏ ନ୍ୟୁଟ୍ରାଲ ନମ୍ବର। ଯଦି ଏହା ମୋତେ ସହାୟକ ନ ହେବ, ତା’ହେଲେ ମୋ ବିରୋଧରେ ମଧ୍ୟ ଯିବନି। ଏହାକୁ ମଧ୍ୟ ମୁଁ ମୋ ଉତ୍ତରେ ସାମିଲ କରିଥିଲି। ମୁଁ ଆଦୌ ଅନ୍ଧବିଶ୍ୱାସୀ ନୁହେଁ। କିନ୍ତୁ ୭ ନଂ ମୋ ହୃଦୟର ସହ ଜଡ଼ିତ। ତେଣୁ ଏହାକୁ ବର୍ଷ ବର୍ଷ ଧରି ମୁଁ ମୋ ପାଖରେ ରଖିଛି।”