ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାନାଡାର ନବନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର

କାନାଡ଼ା:- ଚଳିତ ମାସ ଶେଷ ସପ୍ତାହରେ କାନାଡାର କାନାନାସ୍କିସ ସହରରେ ଆୟୋଜନ ହେବାକୁ ଯାଉଛି G7 ଶିଖର ସମ୍ମିଳନୀ । G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାନାଡାର ନବନିର୍ବାଚିତ ପିଏମ ମାର୍କ ଜେ କାର୍ଣ୍ଣିଙ୍କ ନିମନ୍ତ୍ରଣ ରହିଛି । ଭାରତ-କାନାଡା ସମ୍ପର୍କରେ ଆସିପାରେ ସୁଧାର । G7 ବୈଠକରେ ଯୋଗଦେବାକୁ କାନାଡ଼ା ପିଏମଙ୍କ ନିମନ୍ତ୍ରଣ ସ୍ୱୀକାର କରିବା ସହ ନିର୍ବାଚନରେ ବିଜୟ ପାଇଁ ମାର୍କ ଜେ କାର୍ଣ୍ଣିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ଫୋନରେ ବାର୍ତ୍ତାଳାପକୁ ନେଇ ଏକ୍ସ ପୋଷ୍ଟରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପାରସ୍ପରିକ ସହଯୋଗ ଓ ସମ୍ମାନ ସହ ଭାରତ-କାନାଡା ଦ୍ୱିପାକ୍ଷିକ ଆଲୋଚନାକୁ ଅପେକ୍ଷା ରହିଛି ବୋଲି କହିଛନ୍ତି ମୋଦି । G7 ଦୁନିଆର ୭ ବିକଶିତ ଅର୍ଥବ୍ୟବସ୍ଥା ଯଥା ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ବ୍ରିଟେନର ମିଳିତ ସଂଗଠନ । ଏଥିରେ ୟୁରୋପୀୟ ସଂଘ, ବିଶ୍ୱବ୍ୟାଙ୍କ, ଜାତିସଂଘ ଓ IMF ମଧ୍ୟ ସାମିଲ ଅଛନ୍ତି । ୨୦୨୩ରେ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକୁ ନେଇ ତତ୍କାଳୀନ ପିଏମ ଜଷ୍ଟିନ ଟୁଡୁଙ୍କ ଅଭିଯୋଗକୁ ନେଇ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ଏବେ ସମ୍ପର୍କରେ ସୁଧାର ଆସିବା ସମ୍ଭାବନା ରହିଛି ।